ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ଯଦି ଏଭଳି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରେ, ତେବେ ରୋଗୀ କେତେକାଂଶରେ ସୁସ୍ଥ ରହିଥାଏ ବୋଲି ପ୍ରକାଶ କରିଛନ୍ତି ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆର ପାର୍କିସନ୍‌ (ଥରା ରୋଗ) ବିଭାଗ ମୁଖ୍ୟ ଡ. ଡାନିଏଲ୍‌ ୱିନ୍‌ଟ୍ରବ୍‌। ଦୀର୍ଘ ସାତବର୍ଷ ଧରି ସେ ଏହି ରୋଗ ସମ୍ପର୍କରେ ଗବେଷଣା କରି ଏକ ଜିନ୍‌ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏହାକୁ ଅନୁଧ୍ୟାନ କରି ପାର୍କିସନ୍‌ ରୋଗ ବିଷୟରେ ଅନେକ ତଥ୍ୟ ଜାଣିହେବ ବୋଲି ସେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ରୋଗୀର ବିଗତ ତିନିବର୍ଷର ଇତିହାସ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ହାସଲ କରିହେବ। ଗବେଷଣା ସମୟରେ ସେ ଆମେରିକାର ପ୍ରାୟ ୩୩ଟି ହସ୍ପିଟାଲ୍‌ରେ ୪୨୩ଜଣ ପାର୍କିସନ୍‌ ରୋଗୀଙ୍କ ଶରୀରକୁ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଏଭଳି ରୋଗର ପ୍ରାରମ୍ଭିକ ଅବସ୍ଥାରେ ହସ୍ପିଟାଲ୍‌ରେ ଆଡ୍‌ମିଶନ୍‌ ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ରୋଗୀଙ୍କ ଜିନ୍‌ ପରୀକ୍ଷା କରି ଚିକିତ୍ସା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫-୩୦ ପ୍ରତିଶତ ରୋଗୀ ଏଭଳି ରୋଗରୁ କେତେକାଂଶରେ ଉପଶମ ଲାଭ କରିଥିଲେ।