Categories: ଜାତୀୟ

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ବୁଧବାର ଦାବି କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ. ପାଲାନିସ୍ବାମୀ ତାମିଲ ଭାଷାକୁ ଅନ୍ୟ ରାଜ୍ୟଗୁଡିକରେ ଇଚ୍ଛାଧୀନ ଭାଷା ଭାବେ ଶିକ୍ଷାଦାନ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ତାମିଲକୁ କେନ୍ଦ୍ର ସ୍ତରରେ ସରକାରୀ ଭାଷା କରିବା ଲାଗି ଆମେ ଶପଥ ନେବା ଉଚିତ ଏବଂ ଏଥିପାଇଁ ଡିଏମ୍‌କେ ସମର୍ଥନ ଜାରି ରଖିବ ବୋଲି ଷ୍ଟାଲିନ୍‌ ଖବରଦାତାମାନଙ୍କୁ କହିଛନ୍ତି।
ତ୍ରିଭାଷୀ ସୂତ୍ର ନାମରେ କେନ୍ଦ୍ର ସରକାର ହିନ୍ଦୀଶିକ୍ଷାକୁ ଜବରଦସ୍ତ ଲାଗୁ କରିବାକୁ ଉଦ୍ୟମ କରୁଥିଲେ। ତାମିଲନାଡୁରେ ବିରୋଧ ପରେ ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଅଣହିନ୍ଦୀ ଭାଷୀ ରାଜ୍ୟରେ ହିନ୍ଦୀକୁ ଜବରଦସ୍ତ ଲଦିଦେବା ଘଟଣାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ତାମିଲନାଡୁରେ ଉତ୍ତେଜନା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀ ତାମିଲକୁ ଇଚ୍ଛାଧୀନ ଭାଷା ଭାବେ ଅନ୍ୟ ରାଜ୍ୟରେ ପ୍ରଚଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରାଧ କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ଉକ୍ତ ଟୁଇଟ୍‌କୁ ଲିଭାଇଦେଇଛନ୍ତି।

Share