ଥମୁନି ଝାଡ଼ାବାନ୍ତି, ପୁଣି ଜଣେ ମୃତ: ପ୍ରଶାସନର ଚେତା ପଶୁନି

ସଜନାଗଡ଼, ୨୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତଥା ଆଖପାଖ ଅଞ୍ଚଳରେ ଝାଡାବାନ୍ତି ଥମିବାର ନଁା ନେଉନି। ଗତ ୪ତାରିଖରୁ ୫୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ରାତିରେ ଭଉଁରିଆବାଡ଼ ପଞ୍ଚାୟତର କାନ୍ଥସିମୁଳିଆ ଗ୍ରାମର କିଶାନ ହେମ୍ବ୍ରମ୍‌ଙ୍କ ସ୍ତ୍ରୀ ଦେବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଗୁରୁବାର ପୂର୍ବାହ୍ନରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ କେବଳ କିଛି ବ୍ଲିଚିଂ ପକାଇ ନିଜର କାମ ସାରି ଦିଆଯାଉଛି। ଅସ୍ବାସ୍ଥ୍ୟକର ପରିବେଶ, ପୋଖରୀର ଦୂଷିତ ପାଣି ବ୍ୟବହାର ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବା ସହ ଏହାକୁ ରୋକିବାକୁ ଦାବି ହୋଇଛି।