ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ

ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ପୁରୀ ଜିଲା ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରକାର କଟକଣା ଲଗାଇଥିବାବେଳେ ଏବଂ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ସବୁ ଥଣ୍ଡା, କାଶ ରୋଗୀ ଯେପରି ହସ୍ପିଟାଲ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରିଛି। ଥଣ୍ଡା, କାଶ ଓ ଫ୍ଲୁରେ ଯଦି କେହି ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନେ ଘରେ ଥାଇ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନେବେ। ଏଥିପାଇଁ କେଉଁ ଔଷଧ ସେବନ କରିବାକୁ ପଡ଼ିବ ଡାକ୍ତର ଫୋନରେ ସମ୍ପୃକ୍ତ ରୋଗୀଙ୍କୁ କହିବେ। ରୋଗୀ ନିକଟସ୍ଥ ଔଷଧ ଦୋକାନ କିମ୍ବା ଏଏନ୍‌ଏମ୍‌/ଆଶାଙ୍କଠାରୁ ସେହି ଔଷଧ ସଂଗ୍ରହ କରିପାରିବେ। ଏଥିଲାଗି ପୁରୀ ସହର ସମତେ ୧୧ଟି ଯାକ ବ୍ଲକରେ ଥିବା ସମସ୍ତ ସିଏଚ୍‌ସି ଓ ପିଏଚ୍‌ସିର ଡାକ୍ତରଙ୍କ ନମ୍ବର ଜିଲା ପ୍ରଶାସନ ପକ୍ଷରୁ ଜିଲାବାସୀଙ୍କ ଲାଗି ଜାରି କରାଯାଇଛି। ପୁରୀ ସହର ବ୍ୟତୀତ ପିପିଲି ବ୍ଲକର ପାଣିଦୋଳ ସିଏଚ୍‌ସି, ମଙ୍ଗଳପୁର ସିଏଚ୍‌ସି, ସଦର ବ୍ଲକର ଚନ୍ଦନପୁର ସିଏଚ୍‌ସି, ନିମାପଡ଼ା ବ୍ଲକର ଚାରିଛକ ସିଏଚ୍‌ସି, କୃଷ୍ଣପ୍ରସାଦ ବ୍ଲକର ଚିଲିକା ନୂଆପଡ଼ା ସିଏଚ୍‌ସି, ଅସ୍ତରଙ୍ଗ ବ୍ଲକ ସିଏଚ୍‌ସି, ସତ୍ୟବାଦୀ ବ୍ଲକର ଅଳଗୁମ ସିଏଚ୍‌ସି, କଣାସ ବ୍ଲକ ସିଏଚ୍‌ସି, କାକଟପୁର ବାଙ୍ଗୁରିଙ୍ଗା ସିଏଚ୍‌ସି, ବ୍ରହ୍ମଗିରି ବ୍ଲକର ରେବଣା ନୂଆଗଁା ସିଏଚ୍‌ସି, ଗୋପ ବ୍ଲକ ସିଏଚ୍‌ସି, ଡେଲାଙ୍ଗ ବ୍ଲକ ସିଏଚ୍‌ସି ଡାକ୍ତରଙ୍କ ନମ୍ବର ଜାରି କରାଯାଇଛି ।