ଥଇଥାନ ପୂର୍ବରୁ ଉଚ୍ଛେଦକୁ ବିରୋଧ

ବାଲେଶ୍ୱର ଅଫିସ, ୮।୩-ବାଲେଶ୍ୱର ସହର ସରକାରୀ ଆଇଟିଆଇ କ୍ୟାମ୍ପସ୍‌ ପଛକୁ ୨୩ଟି ଗରିବ ଆଦିବାସୀ ଓ ହରିଜନ ପରିବାର ସରକାରୀ ଜାଗାରେ ଘର କରି ବହୁ ବର୍ଷ ଧରି ବାସ କରିଆସୁଛନ୍ତି। ସେମାନଙ୍କୁ ଥଇଥାନ ନ କରି ସଦର ତହସିଲଦାର ଉଚ୍ଛେଦ ନୋଟିସ୍‌ ଦେଇଥିବାରୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଏହାକୁ ବିରୋଧ କରିଛି।
ସଙ୍ଗଠନ ପକ୍ଷରୁ ଓଡ଼େଶାଭବନ ପରିସରରେ ଶନିବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଭାପତି ବଂଶୀଧର ଚୌଧୁରୀ ଓ ସମ୍ପାଦକ ଗୋବିନ୍ଦ ବଲ୍ଲଭ ଦଳାଇ ଏହି ସୂଚନା ଦେଇ କହିଛନ୍ତି, ଉକ୍ତ ବସ୍ତିରେ ବସବାସ କରୁଥିବା ୨୩ ଭୂମିହୀନ ଗରିବ ପରିବାର ମଧ୍ୟରୁ ଅଧିକାଂଶ ଲୋକ ଦିନମଜୁରିଆ ଭାବେ କାମ କରୁଥିବା ବେଳେ କେତେଜଣ ଛୋଟ ପାନ ଓ ଚା’ ଦୋକାନ କରି ଚଳୁଛନ୍ତି। ମହିଳାମାନେ ବିଭିନ୍ନ ଲୋକଙ୍କ ଘରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ସେମାନଙ୍କ ପିଲାମାନେ ବିଭିନ୍ନ ସ୍କୁଲରେ ପାଠ ପଢୁଛନ୍ତି। ତେଣୁ ସରକାର ଏମାନଙ୍କୁ ଥଇଥାନ ନ କରି ଘର ଭାଙ୍ଗି ଉକ୍ତ ଜମିକୁ ଦଖଲ କରିବା ଭଳି ପଦକ୍ଷେପ ନେଲେ ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରିବ। ଗରିବଙ୍କ ପ୍ରତି ଅବିଚାର ଓ ଅନ୍ୟାୟ ହେବ। ଏଣୁ ବସ୍ତିବାସିନ୍ଦାମାନଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।