ତ୍ୱଚାର ଗ୍ଲୋ ବଢ଼ାଏ ଅଲିଭ୍‌ ଅଏଲ୍‌

ଲୋ ଫ୍ୟାଟ୍‌ ଡାଏଟ୍‌ରେ ବ୍ୟବହାର ହେଉଥିବାରୁ ଅଲିଭ୍‌ ଅଏଲ୍‌ର ଡିମାଣ୍ଡ ବେଶି। ହେଲେ ଆପଣ ଜାଣନ୍ତିକି ଏଥିରେ ଭରି ରହିଛି ଏଭଳି ଅନେକ ଉପାଦାନ, ଯାହାକି ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଦାନ ସଦୃଶ…

ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଅଲିଭ୍‌ ଅଏଲ୍‌ ବେଶ୍‌ ଉପକାରୀ। ଏଥିରେ ଥିବା ଆଣ୍ଟି ଏଜିଂ ଏବଂ ଆଣ୍ଟି ଇମ୍ଫ୍ଲାମେଟୋରି ଉପାଦାନ ଆଖିର ସୂକ୍ଷ୍ମ ତ୍ୱଚାକୁ ପୋଡ଼ାଜଳା ଏବଂ କୁଞ୍ଚନ ହେବାଠାରୁ ଦୂରେଇ ରଖେ। ଏହାକୁ ବ୍ୟବହାର କଲେ ଆଖିପତା ଓ ଆଇବ୍ରୋ କଳା ଏବଂ ଗହଳ ହୋଇଥାଏ। କାଜଲ୍‌, ଆଇଲାଇନର, ମସ୍କରା ଆଦି ଛଡ଼ାଇବା ପାଇଁ ଅଲିଭ୍‌ ଅଏଲ୍‌ ବ୍ୟବହାର କରିପାରିବେ।
ଓଠ ଅଧିକ ଶୁଷ୍କ ଲାଗିବା, ଫାଟିବା ଏବଂ ଚୋପା ଛାଡ଼ିବା ଭଳି ସମସ୍ୟା ଥିଲେ ଏଣୁତେଣୁ ପ୍ରଡକ୍ଟ ମଧ୍ୟ ବ୍ୟବହାର ନ କରି ଅଲିଭ୍‌ ଅଏଲ୍‌ ଲଗାନ୍ତୁ। ଏଥିରେ ଥିବା ଭିଟାମିନ୍‌ ଇ ଓଠକୁ ନରମ ରଖିବା ସହ ସୂର୍ଯ୍ୟ କିରଣରୁ ଆସୁଥିବା କ୍ଷତିକାରକ ରଶ୍ମିରୁ ସୁରକ୍ଷା ଦେଇଥାଏ।
ଯଦି ଆପଣଙ୍କ ତ୍ୱଚା ଶୁଷ୍କ ଏବଂ ଆପଣ ନିୟମିତ ଅନ୍ତରାଳରେ ସ୍ପା କରାଇ ପାରୁନାହାନ୍ତି, ତେବେ ଏହାର ସବୁଠୁ ଭଲ ବିକଳ୍ପ ହେଉଛି ଅଲିଭ୍‌ ଅଏଲ୍‌। ଏଥିରେ ଅଳ୍ପ ସମୁଦ୍ର ଲୁଣ ମିଶାଇ ମୁହଁକୁ ଧୀରେ ଧୀରେ ମସାଜ୍‌ କଲେ ଶୁଷ୍କ ମୃତ କୋଷିକା ବାହାରିଯିବା ଦ୍ୱାରା ତ୍ୱଚା କୋମଳ ଏବଂ ଚିକ୍କଣ ରହିବ।
ଗୋଟିଏ ଅଣ୍ଡା କେଶରରେ ଏକ ଚାମଚ ଅଲିଭ୍‌ ଅଏଲ୍‌ ମିଶାଇ କେଶରେ ଲଗାନ୍ତୁ। ଏହା ରୁକ୍ଷ ବା ଡ୍ରାଏ କେଶକୁ ମଶ୍ଚରାଇଜ୍‌ କରି ରଖିବା ସହ ମଜଭୁତ ଏବଂ ଚମକଦାର କରିଥାଏ। ଶାମ୍ପୁ କରିବା ପରେ କଣ୍ଡିଶନର ସହ ଅଲିଭ୍‌ ଅଏଲ୍‌ ମିଶାଇ ଲଗାଇଲେ ଉପକୃତ ହେବେ।