ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ ସମ୍ମୁଖରେ ଧାରଣା

କଣ୍ଟାପଡ଼ା, ୧୬।୧୦(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୋହଳ ଗ୍ରାମର ଜଣେ ମହିଳାଙ୍କର ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ଜାତୀୟ ଦଳିତ ଆଦିବାସୀ ମାଇନରିଟି ସଂଘ ପକ୍ଷରୁ ଉକ୍ତ ନର୍ସିଂହୋମ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି। ପ୍ରସବ କରାଇଥିବା ଡାକ୍ତର ଓ ନର୍ସିଂହୋମ ମାଲିକଙ୍କୁ ଗିରଫ କରାଯିବା ସହ ନର୍ସିଂହୋମ ବନ୍ଦ ପାଇଁ ସଂଘ ଦାବି କରିଛି। ଏଥିସହ ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି ହୋଇଛି।
ସୂଚନାଯୋଗ୍ୟ, ଯୋହଳ ଗ୍ରାମର ପ୍ରକାଶ ଭୋଇଙ୍କ ସ୍ତ୍ରୀ ସସ୍ମିତା ଗତ ସେପ୍ଟେମ୍ବର ୬ ତାରିଖରେ ପ୍ରସବ ଯନ୍ତ୍ରଣା ଯୋଗୁ ଉକ୍ତ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ସିଜରିଆନ ହୋଇ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ୧୦ ତାରିଖରେ ସେ ସେଠାରୁ ଘରକୁ ଫେରିଥିଲେ। ମାତ୍ର ଘରେ ଦେହ ଖରାପ ହେବାରୁ ଗତ ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ୨୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।