ତୈଳ ଦର ପ୍ରଭାବ: ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭ା୧(ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ବଢ଼ି ଚାଲିଛି। ଏହାର ପ୍ରଭାବ ବସ୍‌ ଭଡ଼ାଠାରୁ ଆରମ୍ଭ କରି ପରିବହନ କ୍ଷେତ୍ରରେ ମଧ୍ୟ ଦେଖାଦେଇଛି। ତୈଳଦର ବୃଦ୍ଧି ହୋଇଥିବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା (ଅଟୋମେଶନ ସିଷ୍ଟମ)ଅନୁଯାୟୀ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏ ନେଇ ସୋମବାର ରାଜ୍ୟ ପରିବହନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିଲୋମିଟରକୁ ଯଥାକ୍ରମେ ୧ ଓ ୨ ପଇସା ବୃଦ୍ଧି ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୧ ପଇସା ଲେଖାଏ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିଲୋମିଟରକୁ ୨ ପଇସା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ସାଧାରଣ ବସ୍‌ ଭଡା କିଲୋମିଟର ପିଛା ୬୯ ପଇସାରୁ ୭୦ ପଇସା ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ ୭୨ରୁ ୭୩, ଡିଲକ୍ସ ବସ କିଲୋମିଟର ପିଛା ୯୯ ପଇସାରୁ ୧ଟଙ୍କା ୧ ପଇସା ଏବଂ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ପରିବର୍ତ୍ତେ ୧ଟଙ୍କା ୨୩ ପଇସା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ, ବସ୍‌ ଭଡ଼ା ବୃଦ୍ଧି ଓ ହ୍ରାସ ପାଇଁ ରାଜ୍ୟ ସରକାର ଅଟୋମେଶନ ବା ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲେ କିଲୋମିଟରକୁ ଭଡ଼ା ୧ ଓ ୨ ପଇସା ବଢ଼ିବ। ସେହି ଆଧାରରେ ବସ ଭଡ଼ା ବୃଦ୍ଧି ଓ ହ୍ରାସ ହୋଇ ଆସୁଛି। ଭଡ଼ା ବୃଦ୍ଧି ଯାତ୍ରୀଙ୍କ ଉପରେ ପୁଣି ଆର୍ଥିକ ବୋଝ । ସେମାନଙ୍କୁ ଅଧିକ ଭଡ଼ା ଦେଇ ଯାତ୍ରା କରିବାକୁ ପଡ଼ିବ।
ଭଡ଼ା ବୃଦ୍ଧିକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆଦୌ ଖୁସି ନୁହନ୍ତି। ସଂଘର ଆବାହକ ଦେବାଶିଷ ନାୟକ କହିଛନ୍ତି ଯେ, ବସ୍‌ ଭଡ଼ା ବଢିବା ଦ୍ୱାରା ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡୁଛି। ବସ୍‌ଯାତ୍ରୀ ଟ୍ରେନ୍‌ରେ ଯିବାଆସିବା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ବସ୍‌ ମାଲିକଙ୍କୁ କ୍ଷତି ସହିବାକୁ ପଡୁଛି। ରାଜ୍ୟ ସରକାର ତେଲ ଉପରେ ରିହାତି ଦେବାକୁ ସେ ଦାବି କରିଛନ୍ତି।