ତେହରାନ୍ ,୧୦ା୩: ତେହରାନ୍ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ପେଟ୍ରୋଲିୟମ ଡିପୋ ଉପରେ ରବିବାର ହୋଇଥିବା ଆକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ନିଆଁ ଲାଗି ତୈଳ ଡିପୋଗୁଡିକରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲାବେଳେ କ୍ଷତିଗ୍ରସ୍ତ ଡିପୋରୁ ତେଲ ନିର୍ଗତ ହୋଇ ପାନୀୟ ଜଳ ଏବଂ ସ୍ବେରେଜ୍ରେ ମିଶିଥିବା କୁହାଯାଇଛି। ଏହାକୁ ନେଇ ତେହରାନ୍ ସହରରେ ପାନୀୟଜଳ ସଙ୍କଟ ଉତ୍କଟ ହେବା ସହ ଡ୍ରେନେଜ୍ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଯାଇଛି। ପୂର୍ବରୁ ତେହରାନ୍ରେ ପାନୀୟଜଳ ସଙ୍କଟ ଯୋଗୁ ଏହି ସହରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଇରାନ ସରକାର ଯୋଜନା କରିଥିଲେ। ଏବେ ଏହି ସଙ୍କଟ ଆହୁରି ଉତ୍କଟ ହୋଇଛି।

