Categories: ବାଣିଜ୍ୟ

ତେଲ ପାଇଁ କ୍ରେଡିଟ୍‌ କାର୍ଡରେ ମିଳିବନି କ୍ୟାଶ୍‌ବ୍ୟାକ; ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ପହିଲାରୁ ପେଟ୍ରୋଲ ପମ୍ପରେ ତେଲ ପକାଇଲେ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଆଉ କ୍ୟାଶ୍‌ବ୍ୟାକ ମିଳିବ ନାହିଁ। ଦେଶର ତୈଳ କମ୍ପାନୀଗୁଡ଼ିକ ଏ ନେଇ ନିଷ୍ପତ୍ତି ନେଇଛନ୍ତି। ତୈଳ କମ୍ପାନୀଗୁଡ଼ିକ କ୍ରେଡିଟ କାର୍ଡଧାରୀଙ୍କୁ ୦.୭୫% କ୍ୟାଶ୍‌ବ୍ୟାକ୍‌ ଦେଉଥିଲେ। ଏ ସମ୍ପର୍କରେ ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ନିଜର ସମସ୍ତ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ମେସେଜ ପଠାଇ ଜଣାଇ ଦେଇଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ନଗଦ ଅଭାବକୁ ଦୂର କରିବା ପାଇଁ ତୈଳ କମ୍ପାନୀଙ୍କୁ କ୍ୟାଶ୍‌ବ୍ୟାକ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଓ ଆଇଓସିଏଲ୍‌ ପକ୍ଷରୁ ଡେବିଟ୍‌/କ୍ରେଡିଟ୍‌ କାର୍ଡଧାରୀଙ୍କୁ ତେଲ ଭରିବା ବାବଦରେ ୦.୭୫% କ୍ୟାଶ୍‌ବ୍ୟାକ ଦେବାକୁ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ସରକାରଙ୍କ ନିର୍ଦ୍ଦେଶରେ ତୈଳ କମ୍ପାନୀଗୁଡ଼ିକ କାର୍ଡ ବ୍ୟବହାର ଜନିତ ଚାର୍ଜ(ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ ବା ଏମ୍‌ଡିଆର୍‌)କୁ ମଧ୍ୟ ବହନ କରୁଥିଲେ। ସାଧାରଣତଃ କାର୍ଡ ବ୍ୟବହାର ପାଇଁ ରିଟେଲର ବା କାର୍ଡ ବ୍ୟବହାରକାରୀ ଏହି ଚାର୍ଜ ଦେଇଥାନ୍ତି। ତେବେ ଡେବିଟ୍‌ କାର୍ଡ ଉପରେ ମିଳୁଥିବା କ୍ୟାଶ୍‌ବ୍ୟାକ ଓ ଅନ୍ୟ ରିହାତି ପୂର୍ବଭଳି ଜାରି ରହିବ। ସୂଚନାଥାଉ କି, ଇ-ପେମେଣ୍ଟ କ୍ୟାଶ୍‌ବ୍ୟାକ ବାବଦରେ ତିନୋଟି ତୈଳ କମ୍ପାନୀ ୨୦୧୭-୧୮ରେ ୧୧୬୫ କୋଟି ଏବଂ ଏମ୍‌ଡିଆର୍‌ ବାବଦରେ ୨୬୬ କୋଟି ଟଙ୍କା ବ୍ୟାଙ୍କକୁ ପ୍ରଦାନ କରିଛନ୍ତି।

Share