Categories: ଖେଳ

ତେଲେଙ୍ଗନା, ଆନ୍ଧ୍ରକୁ ସିନ୍ଧୁଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୬।୩(ପି.ଟି.)- କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଅଲିମ୍ପିକ୍ସ ପଦକ ବଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏ ନେଇ ସିନ୍ଧୁ ନିଜ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରି ଜଣାଇଛନ୍ତି। ଉଲ୍ଲେଖଥାଉ କି, ତେଲେଙ୍ଗନା ୨୦୧୪ରେ ଆନ୍ଧ୍ରଠାରୁ ଅଲଗା ହୋଇ ନୂଆ ରାଜ୍ୟର ମାନ୍ୟତା ପାଇଥିଲା।
କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧,୦୦୦ ଲୋକ ପ୍ରାଣ ହରାଛନ୍ତି ଓ ୪,୦୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ୬୦୦ ପାର କରିସାରିଲାଣି ଓ ଏପର୍ଯ୍ୟନ୍ତ ୧୩ଜଣ ଲୋକ ପ୍ରାଣ ହରାଇଲେଣି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶରେ କେନ୍ଦ୍ର ସରକାର ଲକ୍‌ ଡାଉନ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ସବୁପ୍ରକାର କ୍ରୀଡ଼ା ଆୟୋଜନକକୁ ସ୍ଥଗିତ କରାଯାଇଛି। ଅଲିମ୍ପିକ୍ସ, ୟୁରୋ ଚାମ୍ପିୟନଶିପ ୨୦୨୦ ସମେତ ଏକାଧିକ ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।
୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ନିଜ ର଼୍ୟାଙ୍କିଙ୍ଗ ବଳରେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଇତିମଧ୍ୟରେ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପ୍ରସାଶନିକ ସଂସ୍ଥା ବିଡବ୍ଲ୍ୟୁଏଫ୍‌ ମାର୍ଚ୍ଚ ୧୬ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ସବୁ ପ୍ରକାର ଟୁର୍ନାମେଣ୍ଟକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖିଛି କିମ୍ବା ବାତିଲ କରିଛି। ଏଥିମଧ୍ୟରେ ୩ଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ସାମିଲ ରହିଛି।

Share