ତେଜୁଛି ଆନ୍ଦୋଳନ : ସିଡିଏମ୍‌ଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସୁନ୍ଦରଗଡ଼,୧୮।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା.ପଙ୍କଜ କୁମାର ପଟେଲଙ୍କ ବିରୋଧରେ ଅନ୍ୟାୟ ଭାବେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଡାକ୍ତରମାନେ ଗତ ୧୫ ତାରିଖରୁ କଳାବ୍ୟାଜ୍‌ ପିନ୍ଧି ପ୍ରତୀକ ଧର୍ମଘଟ ଚଳାଇଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଏକ ନୀରବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଜିଲା ମୁଖ୍ୟ ଡାକ୍ତରଖାନା କ୍ୟାମ୍ପସ ପରିକ୍ରମା କରି ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଗତ୧୩ ତାରିଖରେ ୫-ଟି ସଚିବ ଭି. ପାଣ୍ଡିୟାନଙ୍କ ନେତୃତ୍ୱରେ ଆସିଥିବା ସ୍ବତନ୍ତ୍ର ଟିମ୍‌ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏହା ପରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପଙ୍କଜ ପଟେଲଙ୍କୁ ମୋ’ ସରକାର କାର୍ଯ୍ୟର ଫଳ ରୂପାୟନ ଦିଗରେ ଅବହେଳା ଦର୍ଶାଇ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଅଭିଯୋଗ କିମ୍ବା ଅବହେଳାର କାରଣ ଠିକ୍‌ ଭାବେ ତଦନ୍ତ କରା ନ ଯିବା କିମ୍ବା କୌଣସି କାରଣ ଦର୍ଶାଅ ନୋଟିସ୍‌ ଜାରି କରା ନ ଯାଇ ଏକତରଫା ଭାବେ ତାଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ନିଆଯିବା ଠିକ୍‌ ହୋଇ ନ ଥିବା ଡାକ୍ତର ଓ କର୍ମଚାରୀମାନଙ୍କ ପକ୍ଷରୁ କୁହାଯାଇଛି । ଏଣୁ ରାଜ୍ୟ ସରକାର ଏହି ଘଟଣାର ନିରପେକ୍ଷ ଭାବେ ଉପଯୁକ୍ତ ତଦନ୍ତ କରି ଉଚିତ୍‌ ପଦକ୍ଷେପ ନେବା ସହ ସିଡିଏମଓଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ତାଙ୍କୁ ପୁନଃ ଅବସ୍ଥାପିତ ପାଇଁ ଦାବି କରାଯାଇଛି ।