ତେଜିଲା ଲକ୍‌ଡାଉନ୍‌ ରାଜନୀତି

ନୂଆଦିଲ୍ଲୀ,୩ା୪(ପି.ଟି.): ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଗୁରୁବାର ନବମ ଦିନରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଜୋର୍‌ ଧରିଛି ରାଜନୀତି। ବିନା କୌଣସି ପ୍ରସ୍ତୁତିରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି।
କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟସି)ର ଏକ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ସରକାର ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଦେଶରେ ଅଭୂତପୂର୍ବ ସ୍ବାସ୍ଥ୍ୟ ଓ ମାନବିକ ସଙ୍କଟ ଦେଖାଦେଇଛି। ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କଲେ ସ୍ଥିତିରେ ସୁଧାର ଆସିବ। ସିଡବ୍ଲ୍ୟୁସି କାରୋନା ଭାଇରସ୍‌ ଟେଷ୍ଟ ପାଇଁ ଯାଞ୍ଚକୁ ବ୍ୟାପକ କରିବା ଲାଗି ଦାବି କରିଛି। ଏହାସହ ଅର୍ଥନୀତି ସୁଧାରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଉ ବୋଲି ଦାବି ହୋଇଛି। କେନ୍ଦ୍ର ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ଘୋଷଣା କରିଥିବା ପ୍ୟାକେଜ୍‌ ପର୍ଯ୍ୟାପ୍ତ ନୁହେଁ ବୋଲି ସମାଲୋଚନା କରି ଅଧିକ ପାଣ୍ଠି ଦେବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଲକ୍‌ଡାଉନ୍‌କୁ ନେଇ ସୋନିଆଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସମାଲୋଚନା କରିଛନ୍ତି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି, କୋଭିଡ୍‌-୧୯ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ଭାରତ ସମେତ ସାରା ବିଶ୍ୱରେ ପ୍ରଶଂସା କରାଯାଉଥିବାବେଳେ ଏହାକୁ ନେଇ କଂଗ୍ରେସ ରାଜନୀତି କରୁଛି।

Share