ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)-
ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି ଜୀବଜନ୍ତୁ।ଏପରି ଘଡିସନ୍ଧି ମୁହୁର୍ତ୍ତରେ ନିରୀହ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କୁନିକୁନି ପିଲା ଏବଂ କିନ୍ନର ଚିନ୍ମୟୀ ।
ଜଳ ହିଁ ଜୀବନ । ହେଲେ ଖରା ଦିନ ଆସିଲେ ପାଣି ମୁନ୍ଦାଏ ପାଇଁ ଛଟପଟ ହୁଅନ୍ତି ନିରୀହ ବନ୍ୟପ୍ରାଣୀ। ଏବେ ଲକଡାଉନ ଥିବାରୁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ଲାଗି ପିଇବା ପାଣି ବ୍ୟବସ୍ଥା କରାଯାଇପାରିନାହିଁ। ଏପରି ସ୍ଥିତିରେ ଶୋଷିଲା ଜଙ୍ଗଲୀ ଜନ୍ତୁ ଲାଗି ଜଳଦାନ ଅଭିଯାନ ଆରମ୍ଭ କରିଛନ୍ତି ଅମାଜିକ କର୍ମୀ ତଥା କିନ୍ନର ଚିନ୍ମୟୀ ଦାସ ଓ କୁନି କୁନି ପିଲାମାନେ। ଅନୁଗୋଳ ଜିଲା ଜରପଡା ଗ୍ରାମରେ ରୁହନ୍ତି ଚିନ୍ମୟୀ। ଏକ ଛୋଟ ଦୋକାନ ଦେଇ ସେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ନିଜ ଦୋକାନରୁ ସଞ୍ଚିତ ଅର୍ଥରେ ଜଙ୍ଗଲୀଜନ୍ତୁଙ୍କୁ ପିଇବା ପାଣି ଦେବାକୁ ସେ ମାଟିପାତ୍ର କିଣିଛନ୍ତି। ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମର କୁନି ପିଲାଙ୍କୁ ନେଇ ଡାଳରେ ପାଣିଭର୍ତ୍ତି ମାଟିପାତ୍ର ଝୁଲାଇ ଦେଉଛନ୍ତି। ନିୟମିତ ପାଣି ବଦଲାଇ ନୂଆ ପାଣି ଭର୍ତ୍ତି ମଧ୍ୟ କରୁଛନ୍ତି। ଏ ନେଇ ଚିନ୍ମୟୀ କୁହନ୍ତି, ସମାଜ ସେବାର କୌଣସି ଦିଗ ନ ଥାଏ। ଏହା ଗୋଟିଏ ନିର୍ଦ୍ଦିଷ୍ଟ ସେବାରେ ସୀମିତ ନୁହେଁ। ସେବାକରିବାର ମନବୃତ୍ତି ରହିଲେ ସମଗ୍ର ଜୀଵଜଗତର ସେବା କରିବା ପାଇଁ ସୁଯୋଗ ମିଳିଥାଏ।ଏହା ମାନସିକ ଶାନ୍ତି ଦିଏ ବୋଲି ସେ କରିଛନ୍ତି । ଚିନ୍ମୟୀଙ୍କର ଏପରି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।