Categories: ଜାତୀୟ

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ୨।୮: ଦିଲ୍ଲୀରେ ନ୍ୟାଶନାଲ ମେଡିକାଲ କମିଶନ ବିଲ୍‌(ଏନ୍‌ଏମ୍‌ସି) ବିରୋଧରେ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଶୁକ୍ରବାରକୁ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଉ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ବିଲ୍‌ ଡାକ୍ତରଙ୍କ ସପକ୍ଷରେ ଥିବା ସହ ଆନ୍ଦୋଳନରେ ନ ଯିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଡାକ୍ତରଙ୍କୁ ନିବେଦନ କରିଥିବା ସତ୍ତ୍ୱେ ମଧ୍ୟ ସେମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ୨୯ ଜୁଲାଇକୁ ଏନ୍‌ଏମ୍‌ସି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବା ବେଳେ ଗୁରୁବାର ରାଜ୍ୟ ସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହାକୁ ଅନୁମୋଦନ କରାଇବାରେ ସଫଳ ହୋଇଛନ୍ତି। ଏନେଇ ସାରା ଦେଶର ଡାକ୍ତରମାନେ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ବିଲ୍‌ ପାରିତ ହେବା ପରେ ଆସନ୍ତା ୩ବର୍ଷ ମଧ୍ୟରେ ନ୍ୟାଶନାଲ ମେଡିକାଲ କମିଶନ ଗଠନ କରାଯିବ। ଏହା ପୂର୍ବରୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ନିକଟରେ ଆଡମିଶନ, ମେଡିକାଲ ଶିକ୍ଷା ଏବଂ ଡାକ୍ତରଙ୍କ ସହ ଜଡିତ ଥିବା ସମସ୍ତ କାର୍ଯ ରହିଥିଲା। କିନ୍ତୁ ଏହି ବିଲ୍‌ ଅନୁମୋଦନ ହେବା ପରେ ଏହି ସବୁ କାର୍ଯ୍ୟ ଏନ୍‌ଏମ୍‌ସି ହାତକୁ ଚାଲିଯିବ।

Share