ତୃତୀୟଶ୍ରେଣୀ ସାହିତ୍ୟ ବହିରେ ପଠାଣି ସାମନ୍ତଙ୍କ ସମ୍ପର୍କରେ ଭୁଲ ତଥ୍ୟ

ଖଣ୍ଡପଡା,୪-୯(ସ୍ବ.ପ୍ର.):ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ୩ୟ ଶ୍ରେଣୀ ସାହିତ୍ୟ ବହିରେ ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ୍‌ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ଜୀବନୀ ସମ୍ପର୍କରେ ଆଧାରିତ ‘ତୁଳସୀ ଦୁଇ ପତ୍ରରୁ ବାସେ’ ବିଷୟବସ୍ତୁରେ ଭୁଲ ତଥ୍ୟ ପ୍ରକାଶ ପାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଉକ୍ତ ବିଷୟ ବସ୍ତୁର ଶେଷ ଭାଗରେ ପଠାଣି ସାମନ୍ତଙ୍କ ପିତାଙ୍କ ନାମ ଶ୍ୟାମବନ୍ଧୁ ସିଂହଙ୍କ ପରିବର୍ତ୍ତେ ଶ୍ୟାମ ସୁନ୍ଦର ସିଂହ ବୋଲି ଉଲ୍ଲେଖ କରାଯାଇଛି। ଏହି ଭୁଲ ତଥ୍ୟକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି। କୋମଳମତି ପିଲାମାନେ ପଠାଣି ସାମନ୍ତଙ୍କ ଜୀବନୀ ବୃତ୍ତାନ୍ତରୁ କ’ଣ ଏହି ଭୁଲ ଶିକ୍ଷା କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ନୟାଗଡ଼ ଜିଲା ଖଣ୍ଡପଡାରେ ଜନ୍ମ ଗ୍ରହଣ କରିଥିବା ଏହି ମହାମନିଷଙ୍କ ସମ୍ପର୍କରେ ପ୍ରକାଶିତ ଭୁଲ ତଥ୍ୟ ସୁଧାରିବା ନିମନ୍ତେ ସମ୍ପୃକ୍ତ ପ୍ରକାଶନ ସଂସ୍ଥା ସମେତ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।