ତୁଳସୀଙ୍କ ହାତ ଧରିବାକୁ ବାହାରିଲେ ଶ୍ରୀବଳଦେବ ଜୀଉ

ବାସୁଦେବପୁର, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଗୁଡ଼ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉ ତୁଳସୀ ଦେବୀଙ୍କ ହାତ ଧରିବେ।
ବଳଦେବ ଜୀଉ ବିବାହ ନିମନ୍ତେ ଗୁରୁବାର ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଅଭିମୁଖେ ଶୋଭାଯାତ୍ରାରେ ଯାଇଛନ୍ତି। ପ୍ରଥମେ ମହାପ୍ରଭୁ ବଳଦେବଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବଳଦେବଙ୍କ ପ୍ରତୀକ ବିଗ୍ରହକୁ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାରେ ମନ୍ଦିର ପରିସରରୁ ବାହାର କରାଯାଇ ସ୍ବତନ୍ତ୍ର ପାଲିଙ୍କିରେ ବସାଯାଇଥିଲା। ବାଜା, ସଂକୀର୍ତ୍ତନ ସହିତ ଶୋଭାଯାତ୍ରାରେ ବଳଦେବ ଜୀଉ ବରଯାତ୍ରୀ ତଥା ପୂଜକ, ପଣ୍ଡା, ଗ୍ରାମବାସୀଙ୍କୁ ସାଥୀରେ ଧରି ତୁଳସୀକ୍ଷେତ୍ରରେ ମାତା ତୁଳସୀ ଦେବୀଙ୍କୁ ବିବାହ ପାଇଁ ଯାଇଛନ୍ତି। ଏହି ବିବାହ ଶୋଭାଯାତ୍ରା ଶୁକ୍ରବାର ବ୍ରହ୍ମବରଦାସ୍ଥିତ ଛତାମଠରେ ପହଞ୍ଚିବ। ସେଠାରେ ନୌକାବିହାର ସାରି ଶନିବାର କେନ୍ଦ୍ରାପଡ଼ା ଅଭିମୁଖେ ଯିବେ ବୋଲି ଜଣାପଡ଼ିଛି। ବଳଦେବ ଜୀଉଙ୍କ ଆଜ୍ଞାମାଳ ନେଇ ଭଦ୍ରେଶ୍ୱର ମହାଦେବଙ୍କ ଦର୍ଶନ କରି ସେଠାରେ କନ୍ଦରାସୁର ବଧ କରିବେ। ଏହାପରେ ତୁଳସୀ ଦେବୀଙ୍କ ସହିତ ବଳଦେବ ଜୀଉଙ୍କ ବିବାହ ଅନୁଷ୍ଠିତ ହେବ। ପରେ ପୁଣି ଚୂଡ଼ବଳଦେବ ମନ୍ଦିରକୁ ବଳଦେବ ଓ ତୁଳସୀ ମାତା ପ୍ରତ୍ୟାବର୍ତ୍ତନ କରିବେ। ପୂଜକ ଶମ୍ଭୁନାଥ ପଣ୍ଡା, ଗଜେନ୍ଦ୍ର ପ୍ରସାଦ ଦାଶ, ସୁରେନ୍ଦ୍ର ପଣ୍ଡା, ଲୋକନାଥ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା, ଚିଦାମ୍ବର ପଣ୍ଡା, ସୁକୁମାର ଦାଶ, ଲମ୍ବୋଦର ପଣ୍ଡା, ଲକ୍ଷ୍ମଣ କୁମାର ବେଜ ଓ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ବିବାହ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।