ତୁର୍କୀ-ସିରିଆ ଅସ୍ତ୍ରବିରତିର ତୃତୀୟ ଦିନ: ସୀମାରେ ଗଲାଣି ୨୧ ଜୀବନ

ଡମାସ୍‌କସ୍‌,୨୧ା୧୦(ଆଇଏଏନ୍‌ଏସ୍‌): ସିରିଆର ଉତ୍ତରପୂର୍ବାଞ୍ଚଳରେ ତୁର୍କୀର ଆକ୍ରମଣକୁ ବନ୍ଦ କରିବା ଲାଗି ୩ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା। ଏହାପରଠାରୁ ସୀମାନ୍ତରେ ୨୦ ସାଧାରଣ ନାଗରିକ ଓ ଜଣେ ତୁର୍କୀ ସୈନ୍ୟ ନିହତ ହେଲେଣି। ଏଥିସହିତ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ନିହତ ୨୦ ନାଗରିକଙ୍କ ମଧ୍ୟରୁ ସିରିଆ ସୀମାନ୍ତ ସହର ରାସ୍‌ ଅଲ୍‌-ଆଇନ୍‌ର ଏକ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା କୁର୍ଦ୍ଦିଶ୍‌ ରେଡ କ୍ରିସେଣ୍ଟ ପକ୍ଷରୁ କୁହାଯାଇଛି। ତୁର୍କୀ ସେନା ଆକ୍ରମଣରେ ଉକ୍ତ ହସ୍ପିଟାଲ ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଗୁରୁବାର ରାତିରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ୍‌ ଏର୍ଡୋଗାନ୍‌ ଏବଂ ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ବାକ୍ଷର ହୋଇଥିଲା। ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏପର୍ଯ୍ୟନ୍ତ ସିରିଆ ତୁର୍କୀ ସୀମାରେ ୨୩୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେବା ସହ ୬୭୭ ଜଣ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୨୨ ଶିଶୁ ଅନ୍ତର୍ଭୁକ୍ତ ବୋଲି କୁର୍ଦ୍ଦିଶ୍‌ କର୍ତ୍ତୃପକ୍ଷ ଶନିବାର କହିଥିଲେ। ଅନ୍ୟପକ୍ଷରେ ରବିବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଜଣେ ସୈନ୍ୟ ନିହତ ହୋଇଥିବା ତୁର୍କୀ କର୍ତ୍ତୃପକ୍ଷ କହିଛନ୍ତି।

Share