ତୁଟୁନି ରାଘପୁର ଗ୍ରାମ ସମସ୍ୟା : ଜିଲାପାଳଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୭।୧: ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ରାଘପୁର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୧୯ ତାରିଖରେ ଅନଶନ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ ହୋଇନାହିଁ। ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ସୋମବାର ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ସମସ୍ୟାର ସମାଧାନ କରା ନଗଲେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରିବେ ବୋଲି ଗ୍ରାମର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ସେଠୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ଓ କାର୍ଯ୍ୟାଦେଶ ପ୍ରଦାନ, ରାଘପୁର ଦଳିତ ବସ୍ତିରେ ଘରପୋଡ଼ି ବିପନ୍ନ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବା, ଗ୍ରାମର ୪ ୱାର୍ଡକୁ ପାନୀୟ ଜଳ ଯୋଗାଣ, ରାଶନକାର୍ଡ ଆଦି ସମସ୍ୟା ସମାଧାନ ପାଇଁ ଅଭିଯୋଗ ପତ୍ର ଦିଆଯାଇଛି। ଅଭିଯୋଗ ପତ୍ର ପ୍ରଦାନ ସମୟରେ ଗ୍ରାମର ଉଦୟଶଙ୍କର ଦାସ, ରଞ୍ଜନ ମଳିକ, ଖଗେଶ୍ୱର ମଲ୍ଲିକ, କୁଳମଣି ମଳିକ ପ୍ରମୁଖ ଉପସ୍ଥିତ ଥିଲେ।