Categories: ଜାତୀୟ

ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ଶ୍ରାବସ୍ତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କ ଜୀବନ୍ତ ଜାଳିଦେଇଛନ୍ତି ସ୍ବାମୀ। ଘଟଣାରେ ମହିଳାଙ୍କ ଜଣଙ୍କର ମୃତ୍ୟୁ ହୋଇଛି। ଭନଗାପୁର ଥାନା ଅନ୍ତର୍ଗତ ଗାଦରା ଗ୍ରାମରେ ଘଟିଥିବା ଏହି ଘଟଣାରେ ପୀଡିତାଙ୍କ ପରିବାର ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୬ରେ ଜ୍ୱାଇଁ ନଫିସ୍‌ ଫୋନରେ ଝିଅ ସଇଦାଙ୍କୁ ତଲାକ୍‌ ଦେଇଥିଲେ। ଏନେଇ ଝିଅ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ ନ କରି ପ୍ରଥମେ ସ୍ବାମୀଙ୍କୁ ମୁମ୍ବାଇରୁ ଘରକୁ ଆସିଲେ ହିଁ କୌଣସି ଅଭିଯୋଗ ନେଇ ଆଲୋଚନା କରାଯିବ ବୋଲି କହିଥିଲା। ଅଗଷ୍ଟ ୧୫ରେ ସ୍ବାମୀ ଘରକୁ ଫେରିବା ପରେ ଉଭୟଙ୍କୁ ପୋଲିସ ଡାକି ବୁଝାସୁଝା କରିଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଘରକୁ ଫେରିବା ପରେ ନଫିସ୍‌ ସଇଦାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ସେ ନଯିବାରୁ ତାଙ୍କ ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ମିଶି ଜୀଅନ୍ତା ଜାଳି ଦେଇଥିଲା। ସଇଦାଙ୍କ ପାଞ୍ଚ ବର୍ଷର ଝିଅ ଫାତିମାଙ୍କ ଆଗରେ ଏହିସବୁ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି।

Share