‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩ଶହ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥଳେ ତାଳି ନ ବଜାଇ ବରଂ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜର ଘୋଷଣା କରିବା ଜରୁରୀ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଗୋଟିଏ ଦିନ ପୂର୍ବରୁ ମଧ୍ୟ ରାହୁଲ କହିଥିଲେ, କରୋନା ଭାଇରସ ଆମର ଦୁର୍ବଳ ଅର୍ଥ ବ୍ୟବସ୍ଥା ଉପରେ ଏକ କଡା ପ୍ରହାର। ଏହା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ, ଶ୍ରମିକମାନଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇବ। ତେଣୁ ତାଳି ମାରିଲେ ସେମାନଙ୍କର କୌଣସି ଲାଭ ହେବନାହିଁ। ଏହି ସମୟରେ ବଡ ଆର୍ଥିକ ପ୍ୟାକେଜର ଘୋଷଣା ଜରୁରୀ ବୋଲି ରାହୁଲ କହିଥିଲେ। କେନ୍ଦ୍ର ସରକାର ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି। ପରୋକ୍ଷରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଏହି ସମୟରେ କେହି ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଦିନ ତମାମ ଏହା ପାଳନ କରାଯିବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ ସମସ୍ତେ ନିଜ ନିଜ ଝରକା କବାଟ ପାଖରେ ଠିଆ ହୋଇ ‘ଜନତା କର୍ଫ୍ୟୁ’ ସମୟରେ ସେବା ଯୋଗାଉଥିବା ଲୋକଙ୍କୁ ତାଳି ମାରି ଥାଳି ବଜାଇ, ଘଣ୍ଟି ବଜାଇ ଧନ୍ୟବାଦ ଦେବାକୁ ମୋଦି କହିଛନ୍ତି। ଯାହାକୁ ନେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

 

Share