ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏଥିରେ ବିଧାୟକଙ୍କ ଫର୍‌ଚ୍ୟୁନର ଗାଡ଼ି ଓ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ବିଧାୟକଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଆମ୍ବୁଲାନ୍ସର କେତେକ ଅଂଶ ପୋଡ଼ି ଯାଇଛି।

ସୂଚନାନୁଯାୟୀ, ରାତି ସାଢ଼େ ୧୧ଟାରେ ବିଧାୟକ ଭୁବନେଶ୍ୱରରୁ ଫେରି କ୍ୟାମ୍ପ ଅଫିସରେ ବିଶ୍ରାମ ନେଇଥିଲେ। ପ୍ରାୟ ୨ ଟା ବେଳେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇବା ପରେ ନିଆଁ ଲିଭାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ବିକ୍ରମପୁର ଥାନାରେ ୧୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ବିକ୍ରମପୁର ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।