ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ରେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ୍‌ ତାନାଜୀର ସଫଳତାର ଭରପୁର ମଜା ନେଇଛନ୍ତି। ତାଙ୍କର ଏହି ଫିଲ୍ମଟି ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକ୍‌ବଷ୍ଟର ହୋଇଯାଇଛି। ତେବେ ଏଥିମଧ୍ୟରେ ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଗକୁ ଅଜୟ ଏକ ସୁପର୍‌ହିଟ୍‌ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର୍‌ ଆସିବେ। ସୂଚନା ଅନୁଯାୟୀ ଅଜୟ ୨୦୧୯ରେ ଆସିଥିବା ସୁପର୍‌ହିଟ୍‌ ଫିଲ୍ମ ‘କୈଥି’ର ଅଫିସିଆଲ ହିନ୍ଦୀ ରିମେକ୍‌ରେ ନଜର ଆସିବେ। ତେବେ ଏହାପୂର୍ବରୁ ଏହି ଫିଲ୍ମର ଲିଡ୍‌ ହିରୋ ପାଇଁ ସଲ୍‌ମାନ ଖାନ୍‌ ଓ ହ୍ରିତିକ୍‌ ରୋଶନଙ୍କ ନାଁ ଚର୍ଚ୍ଚାରେ ଥିଲା। ହେଲେ ବର୍ତ୍ତମାନ ଅଜୟଙ୍କ ନାଁ ଫାଇନାଲ ହୋଇଯାଇଛି। ତେବେ ପୂର୍ବରୁ ଏହି ହିନ୍ଦୀ ରିମେକ୍‌ ଫିଲ୍ମର ନିର୍ଦ୍ଦେଶନା, ଓରିଜିନାଲ ଫିଲ୍ମର ନିର୍ଦ୍ଦେଶକ ଲୋକେଶ କନଗରାଜ୍‌ ଦେବେ ବୋଲି କୁହାଯାଉଥିଲା। କିନ୍ତୁ ସେ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହାକୁ ନିର୍ଦ୍ଦେଶନା ଦେଇପାରିବେ ନାହିଁ। ଅଜୟଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଧର୍ମେନ୍ଦ୍ର ଶର୍ମା ଦେବେ। ଧର୍ମେନ୍ଦ୍ର ଜଣେ ଫିଲ୍ମ ଏଡିଟର। ସେ ଅଜୟଙ୍କ ଫିଲ୍ମ ‘ତାନାଜୀ’ରେ ଏଡିଟିଂ କାମ କରିଥିଲେ। ସେ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ପାଦ ଥାପିବାକୁ ଯାଉଛନ୍ତି। ସେ ଅଜୟଙ୍କ ସମ୍ପର୍କୀୟ ଭାଇ ମଧ୍ୟ। ଏହି ଫିଲ୍ମକୁ ନେଇ ଅଜୟ ବେଶ୍‌ ଉତ୍ସାହିତ ଅଛନ୍ତି।

Share