ତାଗିଦ କଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଉଛନ୍ତି ପରିବାର ସଦସ୍ୟ, ଉଲ୍ଲଂଘନ ନେଇ ରୁଜୁ ହେବ ମାମଲା

ଛତ୍ରପୁର, ୧୦।୫(ଡି.ଏନ୍‌.ଏ.)- ବାରମ୍ବାର ଜ଼ିଲାପାଳଙ୍କ ତାଗିଦ୍‌ ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ମଧ୍ୟ୍ୟ ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ଥିବା ପ୍ରବାସୀଙ୍କୁ ଭେଟିବା ଲାଗି ପରିବାର ସଦସ୍ୟ ଯାଉଛନ୍ତି। ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟୁଇଟ୍‌ କରି ଜଣାଇଛନ୍ତି।

ଜ଼ିଲ୍ଲାପାଳ କହିଛନ୍ତି, ଜ଼ିଲାକୁ ହଟସ୍ପଟ ଅଞ୍ଚଳରୁ ପ୍ରବାସୀମାନେ ଫେରିଛନ୍ତି। ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ସମୟରେ ସେଣ୍ଟର ବାହାରେ ୧୪୪ ଧାରା ଲଗାଯିବା ସହ କେହି ନ ଯିବା ଲାଗି ବାରଣ କରାଯାଇଛି। ହେଲେ କିଛି ଲୋକ ପରିବାର ସଦସ୍ୟଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ଭେଟିବା ପାଇଁ ଉଦ୍ୟମ କରୁଛନ୍ତି। ଏଭଳି ବ୍ୟକ୍ତିଙ୍କ ନାମରେ ଆଇନ ଉଲଂଘନ ନେଇ ଥାନାରେ ମାମଲା ରୁଜୁ ହେବ। ଏଣୁ କ୍ୱାରାଣ୍ଟାଇନ ସେଣ୍ଟରଠାରୁ ଦୂରେଇ ରହିବାକୁ ଗଞ୍ଜାମବାସୀଙ୍କୁ ପୁନର୍ବାର ଜ଼ିଲାପାଳ ଅନୁରୋଧ କରିଛନ୍ତି। ପୋଖରୀରେ ନ ଗାଧୋଇବା, ମାସ୍କ ଓ ଗ୍ଳୋବ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା, ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବା, ଗୁଜବ ନ ସୃଷ୍ଟି କରିବା ଓ ଏହାକୁ ବିଶ୍ୱାସ ନକରିବାକୁ ଜ଼ିଲାପାଳ ଆଉ ଏକ ଟୁଇଟ୍‌ କରି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।