Categories: ଖେଳ

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ ଥରେ ଆକ୍‌ଶନକୁ ଫେରିଛନ୍ତି। ଏହି କୋଚ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଦରୁ ଇସ୍ତଫା ଦେଇ ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ। ସେ ନିକଟରେ ତାଇଓ୍ବାନ ଏକାଡେମୀରେ କୋଚ୍‌ ଭାବେ ଯୋଗ ଦେଇଛନ୍ତି। ସିନ୍ଧୁଙ୍କ ବିଶ୍ୱ ଟାଇଟଲରେ କିମ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଅଗଷ୍ଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ ଶେଷ ହେବାର କିଛି ଦିନ ପରେ ମହିଳା ସଙ୍ଗଲ୍ସ କୋଚ୍‌ ପଦ ତ୍ୟାଗ କରିଥିଲେ। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) କିମଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କୋରିଆନ କୋଚ୍‌ ତାଇଓ୍ବାନ ଏକାଡେମୀ ଅମବର ଟିମର ଦାୟିତ୍ୱ ସମ୍ଭାଳିବେ। ଏକାଡେମୀ ମ୍ୟାନେଜମେଣ୍ଟ ଦକ୍ଷିଣ କୋରିଆର ଲୋକପ୍ରିୟ କୋଚ୍‌ଙ୍କୁ ସୋସିଆଲ ମିଡିଆ ଜରିଆରେ ସ୍ବାଗତ ଜଣାଇଛି। କିମ ୧୯୯୬ ଅଲିମ୍ପିକ୍ସ ସିଙ୍ଗଲ୍ସରେ ୪ର୍ଥ ସ୍ଥାନରେ ରହିଥିଲେ। ଖେଳାଳି କ୍ୟାରିୟରରୁ ଅବସର ନେବା ପରେ ଜର୍ମାନୀ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଭାରତ ଭଳି ଦଳର କୋଚ୍‌ ଦାୟିତ୍ୱରେ ରହି ସାରିଛନ୍ତି। ଅନ୍ୟପକ୍ଷରେ ସିନ୍ଧୁଙ୍କ ବାପା କିମଙ୍କ ଅନୁପସ୍ଥିତ ଅଧିକ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି। ଜଣେ ସଫଳ ଆଥ୍‌ଲେଟ ପଛରେ କୋଚ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ମାତ୍ର ଖେଳାଳି ତା’ର କଡ଼ା ପରିଶ୍ରମ ବଳରେ ଲକ୍ଷ୍ୟସ୍ଥଳ ହାସଲ କରେ ବୋଲି ସେ କହିଛନ୍ତି।

Share