ତହସିଲ କାର୍ଯ୍ୟାଳୟରେ ନାହିଁ ପିଇବା ପାଣି

ନାଉଗଁ।,୧୧ା୬(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ନାଉଗଁା ତହସିଲ କାର୍ଯ୍ୟାଳୟରେ ଥିବା ପାନୀୟଜଳ ପ୍ରକଳ୍ପଟି ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ଏହି ତହସିଲ ଉପରେ ନିର୍ଭରଶୀଳ ୧୬ ପଞ୍ଚାୟତର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ଆସିବାବେଳେ ପିଇବାକୁ ପାଣି ଟୋପେ ପାଉନାହାନ୍ତି। ପ୍ରକାଶ ଯେ, ପାରାଦୀପ ପୋର୍ଟ ଟ୍ରଷ୍ଟର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଣ୍ଠିରେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। କିନ୍ତୁ ପ୍ରକଳ୍ପ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର କରାଯାଇଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପଦିନ ମଧ୍ୟରେ ଅଚଳ ହୋଇପଡିଛି। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। କିନ୍ତୁ କିଛିଦିନ ପରେ ତାହା ପୁଣି ଅଚଳ ହୋଇପଡିଛି। ଏହି କାର୍ଯ୍ୟାଳକୁ ବହୁ ଦୂରରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଆସି ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ଶୋଷ ହେଲେ ପାଣି ଟୋପେ ପିଇବାକୁ ନ ମିଳିବାରୁ ସେମାନେ ବାହାର ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ, ଉକ୍ତ ପ୍ରକଳ୍ପଟି ତହସିଲ କାର୍ଯ୍ୟାଳୟ ପରିସରରେ ରହିଛି। ତେଣୁ ମରାମତି ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିଡିଓଙ୍କୁ ଅବଗତ କରାଯିବା ପରେ
ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ମରାମତି କରାଯିବ।