ତହସିଲଦାରଙ୍କୁ ଦୁର୍ବ୍ୟବହାର, ଗାଡ଼ିଭଙ୍ଗା ଘଟଣା: ନ୍ୟାୟ ପାଇଁ ଗୁହାରି କଲେ ମହିଳା

ସଜନାଗଡ଼, ୨୩।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର କାଠପାଳ ଛକଠାରେ ଗତ ୧୪ତାରିଖ ରାତି ପ୍ରାୟ ୧୧ଟାରେ ୩ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ଅଟକାଇଥିଲେ। ଏହାକୁ ନେଇ ଉକ୍ତ ସ୍ଥାନରେ ଗଣ୍ଡଗୋଳ ଉପୁଜିଥିଲା। ୫୦ରୁ ୬୦ ଲୋକ ଏକଜୁଟ୍‌ ହୋଇ ଏହାକୁ ବିରୋଧ କରିଥିଲେ। ପରେ ତହସିଲଦାର ଭଡ଼ାରେ ନେଇଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଗାଡ଼ିରେ ଥିବା ଆର୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାରପିଟ୍‌ କରିଥିବା ତହସିଲଦାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା (ନଂ.୨୨୦/୧୯) ରୁଜୁ କରି ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଭୟରେ କାଠପାଳ, ଖସାପଡ଼ିଆ ଓ କରଞ୍ଜିଆ ଗ୍ରାମର କେତେକ ଲୋକ ଗ୍ରାମ ଛାଡ଼ି ବାହାରକୁ ପଳାଇଛନ୍ତି। ଫଳରେ ଗଁାଗୁଡ଼ିକ ପୁରୁଷଶୂନ୍ୟ ହୋଇପଡ଼ିଛି। ତହସିଲଦାରଙ୍କ ଘଟଣାରେ ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଗିରଫ କରାଯାଇ ନିର୍ଦ୍ଦୋଷୀଙ୍କୁ ଛାଡି ଦେବା ଲାଗି ଆଞ୍ଚଳିକ ମହିଳା ସୁରକ୍ଷା ମଞ୍ଚର ସଦସ୍ୟାମାନେ ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରଶାସନଠାରେ ନିବେଦନ କରିଛନ୍ତି।
ମହିଳାମାନେ ଦର୍ଶାଇଛନ୍ତି ଯେ, ଗଁାଗୁଡିକ ପୁରୁଷଶୂନ୍ୟ ହୋଇପଡିଥିବାରୁ ରାତିରେ ଚୋରି ହେଉଛି। କାଠପାଳ ଘାଟରୁ ବାଲି ୩ ଖଣ୍ଡ ଗ୍ରାମର ଲୋକ ଘରୋଇ ବ୍ୟବହାର ପାଇଁ ନେଇଥାନ୍ତି ା ଗତ ସେପ୍ଟେମ୍ବର ୧୪ତାରିଖ ରାତିରେ ସୋନନଦୀ କୂଳରେ ବିଳମ୍ବିତ ରାତିରେ ଜୋର ପାଟିତୁଣ୍ଡ ଶୁଭିଥିଲା। ପାଟିତୁଣ୍ଡ ଶୁଣି ଗଁାଲୋକ ରୁଣ୍ଡ ହୋଇଥିଲେ। ବାହାରୁ ଆସିଥିବା କେତେକ ଟ୍ରାକ୍ଟର ପଳାଇ ଯାଇଥିଲା। ୨ଟି ଟ୍ରାକ୍ଟର ଛିଡ଼ା ହୋଇଥିଲା। କେତେକ ବ୍ୟକ୍ତିଙ୍କ ସହ ତହସିଲଦାରଙ୍କ ଯୁକ୍ତିତର୍କ ଚାଲିଥିଲା ା ଏହି ସମୟରେ ଅନ୍ୟ ଟ୍ରାକ୍ଟରଗୁଡ଼ିକ ପଳାଇଯାଇଥିଲେ। ଏହି ୩ଖଣ୍ଡ ମୌଜାର ଲୋକଙ୍କୁ ବାଲିମାଫିଆ ଆଖ୍ୟା ଦିଆଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଗଣ୍ଡଗୋଳରେ ଗ୍ରାମବାସୀଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ସେମାନେ ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ସଭାପତି ଶୁଭଲକ୍ଷ୍ମୀ ମହାଳିକ, ନିର୍ମଳ ଦଣ୍ଡପାଟଙ୍କ ସମେତ ଶକୁନ୍ତଳା ଦଣ୍ଡପାଟ, କୁନି ଦଣ୍ଡପାଟ, ବାସନ୍ତୀ ଦଣ୍ଡପାଟ, ସସ୍ମିତା ନାୟକ, ଅମ୍ବିକା ଦାଶ, ନିନି ଦଳେଇ, ମାଳତୀ ଦଣ୍ଡପାଟ ଓ ଉଷା ନାୟକଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।