ତଳମୁଣ୍ଡରେ ପହଞ୍ଚିଲାନି କେନାଲ ପାଣି: ମରିବାକୁ ବସିଲାଣି ଗର୍ଭଣୀ ଧାନ

ଜୁନାଗଡ,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କେନାଲ ବିଭାଗ ପାଣି ଦେବାକୁ କହିି ଶେଷ ମୁହୂର୍ତ୍ତରେ ନ ଦେବା ଫଳରେ ଚାଷୀମାନେ ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ରବିଧାନ ଗର୍ଭଣୀ ଅବସ୍ଥାରେ ଥିବାବେଳେ କେନାଲରେ ପାଣି ନ ଆସିବା ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଲାଣି। କରୋନା ମାଡ଼ ପରେ ଏବେ ରବିଧାନ ନଷ୍ଟ ହେବା ଚାଷୀଙ୍କୁ ହତାଶା ମଧ୍ୟକୁ ଟାଣି ନେଇଛି।
ଜୁନାଗଡ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚାଷୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଣିରେ ରବିଧାନ ଚାଷ କରିଥିଲେ। ଚାଷ କରିବା ପୂର୍ବରୁ କେନାଲ ବିଭାଗ ଚାଷୀମାନଙ୍କୁ ୨୫କ୍ୟୁବେକ ପାଣି ଦେବା ପାଇଁ ସର୍ତ୍ତ ରଖିଥିଲେ। ସେହି ଅନୁସାରେ ଚାଷୀମାନେ ରବିଋତୁରେ ଧାନ ଚାଷ କରିଥିଲେ। ହେଲେ କେନାଲ ବିଭାଗ ବିଜୁଳି ଉପତ୍ାଦନ ହେଉ ନ ଥିବା କାରଣ ଦର୍ଶାଇ ୧୫ କ୍ୟୁବିକ ପାଣି ଦେଇଥିଲା। ଫଳରେ ଏହି ପାଣି ଶେଷମୁଣ୍ଡରେ ପହଞ୍ଚି ପାରି ନ ଥିଲା। ଏଥିଯୋଗୁ ବର୍ତ୍ତମାନ ଧାନ ଗର୍ଭ ଅବସ୍ଥାରେ ମରିବାକୁ ବସିଲାଣି। ପଞ୍ଚାୟତ ଅନ୍ତର୍ଗତ ଲବଣିପୁର ଗ୍ରାମର ସୁରୁ ସୁନାନୀଙ୍କ ୫ଏକର, ଭୀଷ୍ମ ବାଗଙ୍କ ୫ ଏକର, କମ୍ବୁ ସୁନାନୀଙ୍କ ୩ଏକର, ବିରଞ୍ଚି ଦୁର୍ଗାଙ୍କ ୧ଏକର, କିମନ୍ତ ମାଝୀଙ୍କ ୩ ଏକର, ପଦ୍ମନ ମାଝୀଙ୍କ ୧ଏକର ଓ ଭାଗ୍ୟବାନ ମାଝୀଙ୍କ ୨ଏକର ଏହିପରି ୨୦ଏକର ଧାନ ଚାଷ ପାଣି ଅଭାବରୁ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଘଣ୍ଟବାହାଲି ଓ ଗୁଞ୍ଜୁଗୁଡା ଗ୍ରାମର ଅନେକ ଚାଷୀଙ୍କ ଧାନ ମଧ୍ୟ ନଷ୍ଟ ହୋଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବୀରେନ ପଟ୍ଟନାୟକଙ୍କୁ ପଚାରିବାରୁ ଗୁଞ୍ଜୁଗୁଡା ଓ ଲବଣୀପୁର ଗ୍ରାମର ଚାଷୀମାନେ ତାଙ୍କ ଭିତରେ କଥା ହୋଇ ପାଣି ନେଉଛନ୍ତି। ତେବେ ସେମାନେ କାହଁିକି ଭାଗବଣ୍ଟା କରି ପାଣି ମଡାଉ ନାହାନ୍ତି ବୋଲି ସେ କହିଥିଲେ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳ ଦୃଷ୍ଟିଦେଇ ଏହାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।