ତରଳୁଛି ଫ୍ଲୋରିଡାକ୍ଷେତ୍ର ଭଳି ହିମପାହାଡ଼: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ,୩୧।୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଫ୍ଲୋରିଡାର କ୍ଷେତ୍ର ଭଳି ହିମପାହାଡ଼ ତରଳିବାରେ ଲାଗିଛି ବୋଲି ସମ୍ପୃକ୍ତି ଏକ ଗବେଷଣାରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପ୍ରଥମଥର ପାଇଁ ଆଣ୍ଟାର୍କଟିକାରେ ଗରମ ପାଣି ଯୋଗୁ ବରଫ ତରଳି ସମୁଦ୍ରର ଜଳସ୍ତର ବୃଦ୍ଧି ଘଟିଥିବା ବୈଜ୍ଞାନିକମାନେ କହିଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ, ବରଫ ତଳେ ପାଣିର ତାପମାତ୍ରା ୨ଡିଗ୍ରୀ ସେଲ୍‌ସିୟସ୍‌ରୁ ଉପରେ କିମ୍ବା ୩.୬ଡିଗ୍ରୀ ଫାରେନ୍‌ହାଇଟ୍‌ରୁ କମ୍‌ ରହୁଛି, ଯାହା ସାଧାରଣ ଫ୍ରିଜିଂ ପଏଣ୍ଟଠାରୁ ଉପରେ ବୋଲି କୁହାଯାଇଛି। ବିଶେଷକରି ଏହା ଗ୍ଲେସିଅରର ତଳଭାଗର ତାପମାତ୍ରା ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଗ୍ଲେସିଅର କେଉଁ ଅନୁପାତରେ ତରଳୁଛି ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ଅନୁମାନ କରାଯାଇଛି, ହୁଏତ ଏହା କିଛି ଦଶନ୍ଧି ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ତରଳିଯାଇପାରେ। କାରଣ ବରଫ ତଳେ ଥିବା ଗରମ ପାଣି ଯୋଗୁଁ ଏହା ଶୀଘ୍ର ତରଳିପାରେ ବୋଲି ଅନୁମାନ କରାଯାଇଛି। ଥ୍ବାୟଟସ୍‌ ଗ୍ଲେସିୟର ଉପରେ ଗବେଷଣା କରି ବୈଜ୍ଞାନିକମାନେ ଏହି ତଥ୍ୟ ଦେଇଛନ୍ତି। ଆଣ୍ଟାର୍କଟିକାର ପଶ୍ଚିମରେ ଥିବା ପାଇନ ଦ୍ୱୀପ ସହ ଥ୍ବାୟଟସ୍‌ ଗ୍ଲେସିଅରରୁ ଲଗାତାର ଭାବେ ବଡ଼ ବଡ଼ ବରଫ ଖଣ୍ଡ ତରଳୁଥିବାରୁ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି। ଭବିଷ୍ୟତରେ ସମୁଦ୍ରର ଜଳସ୍ତର ୧-୫ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏମିତି ହେଲେ ଉପକୂଳବର୍ତ୍ତୀ ଅନେକ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହୋଇଯିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଉକ୍ତ ଗ୍ଲେସିଅରରେ କଣା କରାଯାଇ ଏହା ତଳେ ଥିବା ପାଣିର ତାପମାତ୍ରାକୁ ମପାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଗ୍ଲେସିଅର ତଳେ ଥିବା ଗରମପାଣି ଯୋଗୁ ଏଭଳି ପରିବର୍ତ୍ତନ ଦେଖାଦେଇଛି।

Share