ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ ଧରି ଅଲଗା ରହିବା କେବେ ଶୁଣିଛନ୍ତି କି, କିନ୍ତୁ ମଧ୍ୟ ପ୍ରଦେଶରେ ଏଭଳି ଘଟଣା ଘଟିଛି। ଦେବାସରେ ଏକ ଦମ୍ପତିଙ୍କ ମଧ୍ୟରେ ତରକାରୀକୁ ନେଇ ଝଗଡା ଲାଗିଥିଲା। ସ୍ବାମୀ ସେଓ ତରକାରୀ ଖାଇବାକୁ କହିଥିଲେ ମଧ୍ୟ ସ୍ତ୍ରୀ ଏହା ପ୍ରସ୍ତୁତ କରି ଦେଇ ନ ଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଏତେ ଝଗଡା ଲାଗିଥିଲା ଯେ ୧୭ ବର୍ଷ ହେଲା ଉଭୟ ଅଲଗା ରହୁଥିଲେ। ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ବିଚାରପତି ମାମଲା ସମାଧାନ ପାଇଁ ଏକ ଅଭିନବ ଉପାୟ ଚିନ୍ତା କରିଥିଲେ। ଉଭୟଙ୍କ କୋର୍ଟକୁ ଡାକି ସ୍ତ୍ରୀଙ୍କୁ ଘରେ ସେଓ ତରକାରୀ ପ୍ରସ୍ତୁତ କରିବାକୁ କହିଥିଲେ। ସ୍ତ୍ରୀ ବିଚାରପତିଙ୍କ କଥା ମାନି ସ୍ବାମୀଙ୍କୁ ତରକାରୀ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ। ପରଦିନ ଉଭୟ କୋର୍ଟରେ ହାଜର ହୋଇ ବିଚାରପତିଙ୍କୁ କହିଥିଲେ, ଏବେ ଆମେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛୁ।

Share