ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ  ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ୍‌ଭାବେ ମିଶ୍ର ଦୀର୍ଘ ୨୩ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ପ୍ରଶଂସା ସାଉଁଟିଛନ୍ତି। ୨୦୦୭ରୁ ୨୦୧୫ ମଧ୍ୟରେ ଦୀର୍ଘ ୯୬୫ ଦିନ ଧରି ଜଣେ ବେଲଜିୟମ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇ ଓଡ଼ିଶାରୁ ଦେଶର ଅନ୍ୟ ୨୬ ରାଜ୍ୟକୁ ସ୍ଥଳଭାଗରେ ଯାତ୍ରା କରିବା ଭଳି ବିରଳ ଉପଲବ୍ଧି ତାଙ୍କର ରହିଛି। ୧୫ ରାଜ୍ୟକୁ ଏକାଧିକ ଥର ପର୍ଯ୍ୟଟକଙ୍କୁ ନେଇ ସ୍ଥଳପଥରେ ଯାତ୍ରା କରିବାସହ ୬୫୦ ପର୍ଯ୍ୟଟନସ୍ଥଳୀ ସେ ଗସ୍ତ କରିଛନ୍ତି। ଦେଶର ସଂସ୍କୃତି, ଐତିହ୍ୟ, ପ୍ରାକୃତିକ, ଦୁଃସାହସିକ ତଥା ଆଦିବାସୀ ପର୍ଯ୍ୟଟନର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଙ୍କୁ ସମ୍ମାନିତ କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାଶିବ୍ଲି ମିଶ୍ରଙ୍କୁ ଦେଶର ଶ୍ରେଷ୍ଠ ଟୁରିଷ୍ଟ ଗାଇଡ୍‌ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ସ୍ତ୍ରୀ ଜାଗୃତି ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।