ତଦନ୍ତ ପରେ ଫେରିଲା ଛତିଶଗଡ଼ ପୋଲିସ

ଭୁବନେଶ୍ୱର,୨୦ା୨(ବ୍ୟୁରେ): ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଭୁବନେଶ୍ୱରରେ ୩ଦିନ ଧରି ତଦନ୍ତ ଚଳାଇଥିଲା ଛତିଶଗଡ଼ ପୋଲିସ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଛତିଶଗଡ଼ ପୋଲିସ ବୁଧବାର ଫେରିଯାଇଛି। ଏହି ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଗାଡ଼ିଚାଳକ ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରାଯାଇଛି। ଅନୁପ ଓ ବର୍ଦ୍ଧନଙ୍କୁ ଯଥାକ୍ରମ ୩ଦିନ ଓ ଦିନକ ପାଇଁ ରିମାଣ୍ଡରେ ନେବାକୁ ଛତିଶଗଡ଼ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି। ହତ୍ୟାକାଣ୍ଡରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଥିବା ନେଇ ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଅନୁପଙ୍କୁ ଓଡ଼ିଶା ନିଆଯିବ ବୋଲି ଛତିଶଗଡ଼ର ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି। ଘଟଣା ସମ୍ପର୍କରେ ଏସ୍‌ପି ସିଂଙ୍କ ସହ ମୋବାଇଲ ଫୋନରେ କଥାବାର୍ତ୍ତାବେଳେ ସେ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ରିମାଣ୍ଡ ସମୟରେ ଜେରା କରାଯାଇ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ଼, ଗାଡ଼ି ଓ ଅନ୍ୟମାନଙ୍କ ସମ୍ପୃକ୍ତି ବିଷୟରେ ତଥ୍ୟପ୍ରମାଣ ଯୋଗାଡ଼ କରାଯିବ। ଦରକାର ପଡ଼ିଲେ ଅନୁପଙ୍କୁ ଭୁବନେଶ୍ୱର, ବ୍ରଜରାଜନଗର ଓ ଘଟଣାସ୍ଥଳ(ଛତିଶଗଡ଼ ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ)କୁ ନିଆଯିବ ବୋଲି ଏସ୍‌ପି ସିଂ କହିଛନ୍ତି।
ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋର ମାଲିକାନାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ୨୦୧୫ରେ ମାଲିକାନା ପରିବର୍ତ୍ତନ ସମ୍ପର୍କିତ ତଥ୍ୟ ଭୁବନେଶ୍ୱର ଆରଟିଓ-୧କୁ ମାଗିଛି ଛତିଶଗଡ଼ ପୋଲିସ। ଅନୁରୂପ ଭାବେ ବବ୍‌ଲି ପଢ଼ୁଥିବା ସ୍କୁଲକୁ ଯାଇ ପୋଲିସ ତଦନ୍ତ କରିଥିଲା। ସ୍କୁଲରେ ବବ୍‌ଲିଙ୍କ ଉପସ୍ଥାନ ଓ ଅନ୍ୟ କେତେକ ତଥ୍ୟ ପୋଲିସ ସଂଗ୍ରହ କରିନେଇଥିବା ଜଣାପଡ଼ିଛି। ସେହିପରି ଅନୁପ ଓ କଳ୍ପନା ଏକାଠି ବିମାନ ଯାତ୍ରା କରିବା ସମ୍ପର୍କିତ ତଥ୍ୟ ପୋଲିସ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମାଗିବା ସହ ସୁନ୍ଦରପଦା ଫ୍ଲାଟ୍‌ କିଣାବିକା ତଥ୍ୟ ମଧ୍ୟ ସଂଗ୍ରହ କରିଛି।