ତତ୍ପରତା ଦେଖାଇ ଶୋଇଗଲା କମିଶନରେଟ ପୋଲିସ: ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ବ୍ୟାରିକେଡ୍‌, ଇଣ୍ଟରସେପ୍ଟର କଥା ଭୁଲିଗଲେ ଅଧିକାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ) : ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ପୋଲିସ ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି। ଗତ ମାସ ଶେଷ ସପ୍ତାହରେ ଲଗାତାର ୫ ଜଣଙ୍କ ମୃତ୍ୟୁ ଘଟିବା ପରେ କମିଶନରେଟ ପୋଲିସର ଚେତା ପଶିଥିଲା। ତତ୍ପରତା ଦେଖାଇ ତୁରନ୍ତ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପାଇଁ ପୋଲିସ କମିଶନର ଟ୍ରାଫିକ ପୋଲିସକୁ ନିର୍ଦ୍ଦେଶ ଦେଲେ। ତରବରିଆ ଭାବେ ୫ଟି ସ୍ଥାନରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଗଲା। ଏହାପରେ ଉକ୍ତ ସ୍ଥାନରେ ଦୁର୍ଘଟଣା ରୋକିବାକୁ ତୁରନ୍ତ ବ୍ୟାରିକେଡ୍‌ ନିର୍ମାଣ ଓ ଇଣ୍ଟରସେପ୍ଟର ବ୍ୟବସ୍ଥା ସହ ନିୟମିତ ପାଟ୍ରୋଲିଂ କରିବାକୁ କୁହାଗଲା। ହେଲେ ଏହାପରଠାରୁ ପୁଣି ଶୋଇଗଲା କମିଶନରେଟ ପୋଲିସ। ପୁଣି ଦୁର୍ଘଟଣା ଘଟି ଜୀବନ ଗଲେ ପୋଲିସ ଅଧିକାରୀଙ୍କ ନିଦ ଭାଙ୍ଗିବ ବୋଲି କୁହାଯାଉଛି। ପୋଲିସର ଏଭଳି ଆଭିମୁଖ୍ୟ ସହରରେ ଅପରାଧ ଓ ଦୁର୍ଘଟଣା ବୃଦ୍ଧିର କାରଣ ପାଲଟିଛି।
ଦୁର୍ଘଟଣା ରୋକିବାକୁ ହୋଇଥିବା ନିଷ୍ପତ୍ତି ଅନୁସାରେ, ଚିହ୍ନଟ ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବ୍ୟାରିକେଡ୍‌ ରହିବ। ଏହାସହ ସେଠାରେ ଇଣ୍ଟରସେପ୍ଟର ରଖାଯିବା ସହ ପାଟ୍ରୋଲିଂ କଡାକଡି କରାଯିବ। ଦୁର୍ଘଟଣା ପ୍ରବଣ ଅଞ୍ଚଳ ସଂକ୍ରାନ୍ତରେ ସୂଚନା ଫଳକ ଲଗାଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇଥିଲେ। ଇତିମଧ୍ୟରେ ଦୁଇ ସପ୍ତାହ ବିତିବାକୁ ବସିଥିଲେ ମଧ୍ୟ କିଛି ବି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଚିହ୍ନଟ ବ୍ଲାକ୍‌ ସ୍ପଟ୍‌କୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିହ୍ନଟ ସ୍ଥାନ ହେଲା ଜାତୀୟ ରାଜପଥର ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟବର୍ତ୍ତୀ ବାଟଭୁଆଶୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ଆଚାର୍ଯ୍ୟବିହାର ଓଭରବ୍ରିଜ୍‌, କ୍ରାଉନ ହୋଟେଲ ସମ୍ମୁଖ ଏବଂ ପାହାଳ। ଏହାଛଡା ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପର ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ଅଭିଯୋଗ ଉଠିବା ପରେ ପରବର୍ତ୍ତୀ ସମୟରେ ସେସବୁ ସ୍ଥାନ ଚିହ୍ନଟ କରାଯିବ ବୋଲି କୁହାଗଲା। କିନ୍ତୁ ସେ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ଏପରିକି ଟ୍ରାଫିକ ପୋଲିସ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଉକ୍ତ ସ୍ଥାନରେ ବୈଷୟିକ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା। କିନ୍ତୁ ତାହା ବି ଏପର୍ଯ୍ୟନ୍ତ ହେଲାନାହିଁ।