ତଣ୍ଡ ଗଣୁଛନ୍ତି ନିୟମ ଉଲ୍ଲଂଘନକାରୀ, ସରକାରୀ ଗାଡ଼ିରୁ ୧୫ହଜାର ଜରିମାନା ଆଦାୟ

ଭୁବନେଶ୍ୱର,୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ୍‌ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି। ବୁଧବାର ଜଣେ ଅଟୋ ଚାଳକଙ୍କଠାରୁ ୪୭ହଜାର ୫୦୦ଟଙ୍କା ଜରିମାନା କରାଯାଇଥିବା ବେଳେ ଗୁରୁବାର ଏକ ସରକାରୀ ଗାଡ଼ିରୁ ୧୫ହଜାର ଟଙ୍କା ଆଦାୟ ହେବା ଆଲୋଚନାର ବିଷୟ ପାଲଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି।

ସୂଚନାନୁଯାୟୀ, ସ୍ଥାନୀୟ ନାଲ୍‌କୋ ଛକରେ ଯାଞ୍ଚ କରାଯାଉଥିବା ବେଳେ ଗୁଡ୍ସ କ୍ୟାରିୟରରେ କର୍ମଚାରୀଙ୍କୁ ନେଉଥିବା ଯୋଗୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେଉଥିବାରୁ ୫ହଜାର ଏବଂ ପରମିଟ୍‌ ନ ଥିବାରୁ ୧୦ହଜାର ଟଙ୍କା ଜରିମାନା କରାଯାଇଥିବା ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ଆଚାର୍ଯ୍ୟ ବିହାର ଛକରେ ବୁଧବାର ଚେକିଂ ଚାଲୁଥିବା ବେଳେ ୮ ନିୟମ ଭଙ୍ଗ ପାଇଁ ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ୪୭ହଜାର ୫୦୦ଟଙ୍କାର ଜରିମାନା ଲଗାଯାଇଛି। ଏହି ଜରିମାନା ପରିମାଣ ଦେଶରେ ଦ୍ୱିତୀୟ ସର୍ବାଧିକ ବୋଲି କୁହାଯାଉଛି।