ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ଜିଲାରେ ସଡକ ଦୁର୍ଘଟଣା ସମ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଢାବାଗୁଡିକରେ କାଁ ଭାଁ ଚଢାଉ ହେଉଛି। ଯେତେବେଳେ ବି ଚଢାଉ ହେଉଛି ଢାବା ମାଲିକଙ୍କୁ ଗିରଫ କରାଯାଉନି। କର୍ମଚାରୀ, ରୋଷେୟାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଉଛି। ତେଣୁ ଢାବା ମାଲିକମାନେ ଏଭଳି ଚଢାଉକୁ ଖାତିର କରୁ ନ ଥିବା ଅଭିଯୋଗ ହେଉଛି।
ସୋନପୁର-ବଲାଙ୍ଗୀର, ସୋନପୁର-ବିନିକା-ଡୁଙ୍ଗୁରିପାଲି, ସୋନପୁର-ସମ୍ବଲପୁର, ସୋନପୁର-ବୀରମହାରାଜପୁର, ତରଭା-ଚାରଭଟା ରାସ୍ତାରେ ଏକାଧିକ ଢାବା ଖୋଲିଛି। ଏହି ଢାବାଗୁଡିକରେ ଦିନଦ୍ୱିପ୍ରହରରେ ଖୁଲମଖୁଲା ବେଆଇନ ବିଦେଶୀ ମଦ କାରବାର ଚାଲିଛି। ଅବକାରୀ ଓ ପୋଲିସ ବିଭାଗକୁ ସତେ ଯେପରି ଢାବା ମାଲିକଙ୍କ ଆଦୌ ଭୟନାହିଁ। କାରଣ ଢାବା ମାଲିକଙ୍କୁ ଗିରଫ କରା ଯାଉ ନ ଥିବାରୁ ଚଢାଉ ପରେ ମଧ୍ୟ ଚୋରା ମଦ ବ୍ୟବସାୟ ଯଥାରୀତି ଚାଲିଛି । ଜିଲାରେ ଢାବାଗୁଡିକ ବିଅର ବାର ପାଲଟିଛି। ନିର୍ଦ୍ଦିଷ୍ଟ କିଛି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ବେଆଇନ ଭାବେ ଢାବାଗୁଡିକୁ ବିଦେଶୀ ମଦ ଯୋଗାଉଛନ୍ତି। ଅବକାରୀ ଓ ପୋଲିସ ବିଭାଗ ଚଢାଉ ସମୟରେ ଏହା ସ୍ପଷ୍ଟ ହେଉଛି । ମାତ୍ର ସମ୍ପୃକ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। କେଉଁ ବିଦେଶୀ ମଦ ଦୋକାନ ଢାବାଗୁଡିକୁ ଏତେ ପରିମାଣରେ ମଦ ଯୋଗାଉଛି ଅବକାରୀ ଓ ପୋଲିସ ବିଭାଗ ସେ ଦିଗରେ ତଦନ୍ତ କରୁନି। ତଦନ୍ତ ଠିକ୍‌ ଭାବରେ ହେଉ ନଥିବାରୁ ଢାବାଗୁଡିକୁ ବିଦେଶୀ ମଦ ଯୋଗାଉଥିବା ବିଦେଶୀ ମଦ ଦୋକାନୀ ଖସି ଯାଉଛନ୍ତି। ଅନ୍ୟପକ୍ଷେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥ ନିକଟରେ ଥିବା ବିଦେଶୀ ମଦ ଦୋକାନ ଗୁଡିକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ରାସ୍ତାପାର୍ଶ୍ୱରେ ଥିବା ଢାବାଗୁଡିକ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି। ଏଥିଯୋଗୁଁ ଦୁର୍ଘଟଣା କେତେକାଂଶରେ ବୃଦ୍ଧି ପାଉଥିବା ସୁବର୍ଣ୍ଣପୁର ଜିଲା ଓକିଲ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅଭିଯୋଗ କରିଛନ୍ତି। ଢାବାଗୁଡିକୁ ବିଦେଶୀ ମଦ ଯୋଗାଇ ମଦ ଦୋକାନୀ ଓ ଢାବାରେ ବେଆଇନ ଭାବେ ମଦ ବିକ୍ରି କରି ଢାବା ମାଲିକ ମାଲାମାଲ ହେଉଛନ୍ତି। କିନ୍ତୁ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ତେଣୁ ଅବକାରୀ ଓ ପୋଲିସ ବିଭାଗ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।