ଡ୍ୟାମ୍‌ରେ ମରିକି ପଡିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ

ଖପ୍ରାଖୋଲ,୧୬।୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅପର ସୁକତେଲ ଡ୍ୟାମରେ ପ୍ରାୟ ୫ ଦିନ ହେଲା ମାଛ ମଡ଼କ ଦେଖିବାକୁ ମିଳିଛି। ଡ୍ୟାମରେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ଭାସୁଥିବା ବେଳେ କାଉ, ବଗ ଖାଉଥିବା ଦେଖିବାକୁ ମିଳିଛି। ଡ୍ୟାମରେ ଅପର ସୁକତେଲ ମତ୍ସ୍ୟଜୀବୀ ମହାସଂଘ ତରଫରୁ ମାଛ ଚାଷ କରାଯାଇଥାଏ। ବର୍ଷା ଦିନେ ଅଧିକ ଏକର ଅଞ୍ଚଳରେ ପାଣି ରହୁଥିବା ବେଳେ ଖରା ଦିନେ ପ୍ରାୟ ଶହେ ଏକର ପରିଧି ମଧ୍ୟରେ ପାଣି ରହିଥାଏ  । ହେଲେ ମାଛ ମଡ଼କ ଯୋଗୁ ମାଛ ମାରି ଗୁଜରାଣ ମେଣ୍ଟାଉଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଏ ନେଇ ଖପ୍ରାଖୋଲ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଦାୟିତ୍ୱରେ ଥିବା ବେଲପଡ଼ା ମତ୍ସ୍ୟ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କୁ ପଚାରିବାରୁ ଡ୍ୟାମକୁ ଯାଇ ମାଛ ମରିଥିବା ଦେଖି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଛି । ଡ୍ୟାମରେ ମାଛ ଅନୁପାତରେ କମ୍‌ ପାଣି ଥିବାରୁ ପାଣି ଦୂଷିତ ହୋଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି  । ମତ୍ସ୍ୟଜୀବୀମାନେ ଯଥାଶୀଘ୍ର ଡ୍ୟାମରୁ ମାଛ ମାରି ବିକ୍ରି କଲେ କିଛିଟା ଆୟ ହେବ ।ଏହାଛଡା ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ସେ ପ୍ରକାଶ କରିଛନ୍ତି।