Categories: ଖେଳ

ଡ୍ରାଭିଡ୍‌ଙ୍କ ସ୍ଥାନରେ କୋଟାକ, ମହାମ୍ବ୍ରେ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ସୌରାଷ୍ଟ୍ର ଅଧିନାୟକ ସିତାଂଶୁ କୋଟାକ ଓ ପୂର୍ବତନ ଭାରତୀୟ ସିମର ପାରସ ମହାମ୍ବ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନ ନେଇଛନ୍ତି। ଦୁହେଁ ଯଥାକ୍ରମେ ଭାରତ ଏ’ ଓ ୧୯ ବର୍ଷର କମ୍‌ ଭାରତୀୟ ଦଳର କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ଡ୍ରାଭିଡଙ୍କୁ ନିକଟରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏଥିସହ ସେ ଭାରତ ଏ’ ଓ ୧୯ ବର୍ଷରୁ କମ୍‌ ଦଳର ରୋଡ୍‌ମ୍ୟାପ ପ୍ରସ୍ତୁତ କାର୍ଯ୍ୟ କରିବେ। ଏଥିଯୋଗୁ ତାଙ୍କୁ ଏନ୍‌ସିଏରେ ରହିବାକୁ ପଡ଼ିବ। ତେବେ ଆବଶ୍ୟକସ୍ଥଳରେ ସେ ଏ’ ଓ ୧୯ ବର୍ଷରୁ କମ୍‌ ଦଳ ସହ ଗସ୍ତ କରିପାରିବେ। ଏହି ନିଯୁକ୍ତି ନେଇ କୌଣସି ବିଧିବଦ୍ଧ ଘୋଷଣା ହେବ ନାହିଁ। କାରଣ ସମସ୍ତେ ଏନ୍‌ସିଏ ଷ୍ଟାଫ୍‌ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୧୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବାମହାତୀ ବ୍ୟାଟ୍ସମ୍ୟାନ କୋଟାକ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଏ’ ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ସେଠାରେ ତାଙ୍କ କାର୍ଯ୍ୟ ଓ ଏଥିକ୍ସ ଡ୍ରାଭିଡ୍‌ଙ୍କୁ ପ୍ରଭାବିତ କରିଥିଲା। ଏଥିଯୋଗୁ ସେ ପଦ ବଜାୟ ରଖିବେ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଭାରତ ପାଇଁ ଦୁଇ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିଥିବା ମହାମ୍ବ୍ରେଙ୍କୁ ୧୯ ବର୍ଷରୁ କମ୍‌ ଦଳର କୋଚ୍‌ ଭାର ଦିଆଯାଇଛି। ବୋଲିଂ କାଚ୍‌ ପଦରେ ରମେଶ ପାଓ୍ବରଙ୍କୁ ନିଯୁକ୍ତ କରାଯାଇଛି। କୋଟାକ ଓ ପାଓ୍ବରଙ୍କୁ କେବଳ ଗୁରୁବାରଠାରୁ ଥିରୁଭାନାନ୍ତପୁରମଠାରେ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜ୍‌ ପାଇଁ ନିଯୁକ୍ତ କରାଯାଇଛି। ଡ୍ରାଭିଡ୍‌ଙ୍କ ସହ ଅଭୟ ଶର୍ମା ଓ ମହାମ୍ବ୍ରେ ଏନ୍‌ସିଏ କାର୍ଯ୍ୟ ଜାରି ରଖିବେ।

Share