Categories: ଜାତୀୟ

ଡ୍ରାଗନ ନାଲି ଆଖି ଦେଖାଇବାର ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଉତ୍ତେଜନା ଦେଖାଦେଇଛି। ତେବେ ସୀମା ବିବାଦ ପଛରେ ଚାଇନାର ନିହିତ ସ୍ବାର୍ଥ ରହିଛି। ୩ ମୁଖ୍ୟ କାରଣ ଯୋଗୁ ଡ୍ରାଗନ ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରିଥିବା କୁହାଯାଉଛି। ପ୍ରଥମ କାରଣଟି ହେଉଛି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା। ଭାରତର ଏହି ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଚାଇନା ଜାତିସଙ୍ଗ ସୁରକ୍ଷା ପରିଷଦ ପର୍ଯ୍ୟନ୍ତ ନେଇଯାଇଥିବା ବହିର୍ବ୍ୟାପାର ବିଶେଷଜ୍ଞ ହର୍ଷ ବି. ପନ୍ତ କହିଛନ୍ତି। ଲଦାଖ ଏବଂ ଜମ୍ମୁ-କଶ୍ମୀରରେ ଭାରତର ଅଧିକ ନିୟନ୍ତ୍ରଣ ରହିଲେ ଜାରି ରହିଥିବା ଚାଇନାର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ପାକିସ୍ତାନ ସହିତ ଚାଇନା ନିର୍ମାଣ କରୁଥିବା ସ୍ବତନ୍ତ୍ର ଆର୍ଥିକ କରିଡୋର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଚାଇନା ଆଶଙ୍କା କରୁଛି। ଏହା ପାକ୍‌ ଅଧିକୃତ କଶ୍ମୀର(ପିଓକେ) ମଧ୍ୟ ଦେଇ ଯାଉଥିବାରୁ ଚାଇନା ମନରେ ଭୟ ବସା ବାନ୍ଧିଛି। ଅପରପକ୍ଷରେ କରୋନା ସଂକ୍ରମଣ ନେଇ ଚାଇନା ଉପରେ ପୃଥିବୀର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଭାରତ ସହିତ ସୀମା ବିବାଦ ସୃଷ୍ଟି କରିବାକୁ ଚାଇନା ଚାହୁଁଥିବା କୁହାଯାଉଛି। ଏହାଦ୍ୱାରା ପୃଥିବୀର ବିଭିନ୍ନ ରାଷ୍ଟ୍ରର ଧ୍ୟାନ ଭାରତ-ଚାଇନା ସୀମା ବିବାଦ ପ୍ରତି ଆକର୍ଷିତ ହେବ। ସେହିପରି ଭାରତର ଆର୍ଥିକ ତଥା ବିଦେଶ ନୀତି ଚାଇନା ପାଇଁ ବିପଦ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନିର୍ମାଣ ଯୋଜନା ଚାଇନାକୁ ଅସହ୍ୟ ହୋଇଛି। ସେଥିପାଇଁ ସୀମା ବିବାଦରେ ଭାରତକୁ ଲଗାଇବାକୁ ଚାଇନା ଯୋଜନା କରିଥିବା କୁହାଯାଉଛି।

Share