ଡ୍ରାଇଭରଙ୍କୁ ମାଡ଼ ମାରିି ଟାଟା ମ୍ୟାଜିକ୍‌ ଲୁଟ୍‌ ଘଟଣା: ୧୪ ମାସ ପରେ ଗାଡ଼ି ଜବତ, ୨ ଗିରଫ

ବାଲିଅନ୍ତା,୨୯ା୬(ଡି.ଏନ୍‌.ଏ.): ୧୪ମାସ ତଳେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଅନନ୍ତପୁରସ୍ଥିତ ଏକ ମଦ ଦୋକାନ ସମ୍ମୁଖରୁ ଜଣେ ଡ୍ରାଇଭରଙ୍କୁ ଲୁହାରଡରେ ମାଡ଼ମାରି ଟାଟା ମ୍ୟାଜିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବାଲିଅନ୍ତା ପୋଲିସ। ଘଟଣାରେ ସମ୍ପୃକ୍ତି ଥିବା ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଅଛି। ଗିରଫଦ୍ୱୟ ହେଲେ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅଧୀନ ବାଗଲପୁର ଗ୍ରାମର ପ୍ରଭାତ ସାମଲ (୨୫) ଓ କଟକ ଜିଲା କନ୍ଦରପୁର ଥାନା ବିରିବାଟୀର ପପୁନା ଓରଫ ଶିବପ୍ରସାଦ ଭୋଇ(୨୩)। ପୋଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ଗାଡିକୁ ଜବତ କରିଛିି। ଫେରାର ଅଭିଯୁକ୍ତ ହେଲେ କନ୍ଦରପୁର ଗ୍ରାମର ବିିଦ୍ୟାଧର ବେହେରା। ଏ ନେଇ ଥାନାରେ ନଂ ୮୬/୧୮ରେ ରୁଜୁ ହୋଇଥିବା ମାମଲାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ଶୁକ୍ରବାର ପାହାଳ ଫାଣ୍ଡିରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପ୍ରଦୀପ କୁମାର ରାଉତଙ୍କ କହିବା ମୁତାବକ, ୨୦୧୮ ଏପ୍ରିଲ ୫ତାରିଖରେ ପ୍ରଭାତ ଖୋର୍ଦ୍ଧାରୁ ଏକ ଟାଟା ମ୍ୟାଜିକ (ନଂ ଓଡି ୦୨ ଏପି ୭୩୦୯)କୁ ଭଡାରେ ନେଇ ଫୁଲନଖରା ଅଭିମୁଖେ ଆସିଥିଲେ। କିନ୍ତୁ ଗାଡ଼ିକୁ ଫୁଲନଖରା ପରିବର୍ତ୍ତେ ଅନନ୍ତପୁର ନେଇଯାଇଥିଲେ। ସେଠାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ କିଣି ଗାଡିରେ ଥିବା ଡ୍ରାଇଭର ରବୀନ୍ଦ୍ର ପୃଷ୍ଟିକୁ ପିଇବାକୁ ଦେଇଥିଲେ। ଉଭୟ ମଦ ପିଇବା ପରେ ନିଶାରେ ପ୍ରଭାତ ତାଙ୍କ ସାଙ୍ଗ ଶିବପ୍ରସାଦ ଓ ବିଦ୍ୟାଧରକୁ ସେଠାକୁ ଡାକିଥିଲେ। ପରେ ତିନି ମିଶି ଚୋରି ଉଦ୍ଦେଶ୍ୟରେ ଡ୍ରାଇଭରଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ରବୀନ୍ଦ୍ର ଆହତ ହେବାରୁ ତାଙ୍କ ପାଖରୁ ୧୬୫୦ଟଙ୍କା ସହ ଟାଟା ମ୍ୟାଜିକକୁ ନେଇ ତିନି ଫେରାର ହୋଇଯାଇଥିଲେ। ଏ ନେଇ ରବୀନ୍ଦ୍ର ସୁସ୍ଥ ହୋଇ ୧୧ତାରିଖରେ ଥାନାରେ ଅଭିଯୋଗ କରିଥିଲେ।