ଡୋର୍‌ରେ ଦଉଡ଼ି ଭିଡ଼ି ଜରୁରୀ ସେବା

ବଇଣ୍ଡା,୩।୩ (ଡି.ଏନ.ଏ.) – ଜରୁରୀ ସ୍ବାସ୍ଥ୍ୟସେବାର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ଡୋର୍‌ରେ ଭିଡ଼ାଯାଉଛି ଦଉଡ଼ି। ଗାଡ଼ିର ସାଇଟ୍‌ ଓ ପଛ ଡୋର୍‌ ଭାଙ୍ଗି ଯାଇଥିବା ବେଳେ ଏସି କି ଅକ୍ସିଜେନ ସିଲିଣ୍ଡର ମଧ୍ୟ କାମ କରୁନି। ଏପରି ଅବସ୍ଥାରେ କେତେଦିନ ରୋଗୀ ପରିବହନ କରିବା ପରେ ଏବେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳ ପାଇଁ ମିଳିଥିବା ୧୦୮ ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସେହିପରି କିଶୋରନଗର ଅଞ୍ଚଳରେ ଥିବା ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସର ଚକ ଜାମ ଯୋଗୁ ତାହା ବି ସେବାରେ ଲାଗିପାରୁନି। ଫଳରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୧୩ଟି ପଞ୍ଚାୟତବାସୀ ଜରୁରୀ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବଇଣ୍ଡାଠାରେ ଥିବା ୧୦୮ ଆମ୍ବୁଲାନ୍ସ ୨ଟି ବ୍ଲକର ବହୁ ପଞ୍ଚାୟତବାସୀଙ୍କୁ ଜରୁରୀସେବା ଯୋଗାଇ ଦେଇ ଆସୁଛି। କିନ୍ତୁ ଦାୟିତ୍ୱରେ ଥିବା ସଂସ୍ଥା ଗାଡ଼ିର ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ ଏବେ ଏହି ଆମ୍ବୁଲାନ୍ସ ଆଉ ସେବାରେ ଲାଗିବା ଅବସ୍ଥାରେ ନାହିଁ। ଆମ୍ବୁଲାନ୍ସର ପଛ ଡୋର କାଚ ଭାଙ୍ଗିଯିବା ସହ ସାଇଡ ଡୋର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କର୍ମଚାରୀମାନେ ଭଙ୍ଗା ଡୋରକୁ ଦଉଡି ସାହାଯ୍ୟରେ ବାନ୍ଧି ସେବା ଯୋଗାଇ ଦେଉଥିବାବେଳେ ଏସି ସହ ବିଭିନ୍ନ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି। ଫଳରେ ସପ୍ତାହେ ହେବ ଆମ୍ବୁଲାନ୍ସଟି ଆଉ ସେବାରେ ନ ରହି ବଇଣ୍ଡା ଫାଣ୍ଡିରେ ପଡ଼ିରହିଛି। ୫୫ ନଂ. ଜାତୀୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏହି ସରକାରୀ ସେବା ଉପଲବ୍ଧ ହୋଇପାରୁ ନାହିଁ। ସେହିପରି କିଶୋରନଗରଠାରେ ଥିବା ଆମ୍ବୁଲାନ୍ସର ଚକା ଜାମ ହୋଇଯାଇଥିବା ଯୋଗୁ ତାହା ମଧ୍ୟ ଅଚଳ ଅବସ୍ଥାରେ ରହିଛି। କର୍ମଚାରୀମାନେ ୨ଟି ଆମ୍ବୁଲାନ୍ସ ନିକଟରେ ରହି ଡ୍ୟୁଟି କରୁଥିବାବେଳେ ଲୋକଙ୍କୁ ସେବା ମିଳୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦାୟିତ୍ୱ ନେଇଥିବା ଏକ ଠିକାସଂସ୍ଥା ଗାଡ଼ିଗୁଡ଼ିକର ଫିଟନେସ ଓ ମରାମତି କରୁ ନ ଥିବା ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ବିଜୟ କୁମାର ସାହୁ, ଭାଜପା ନେତା ଅରବିନ୍ଦ ସାହୁଙ୍କ ସମେତ ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କହିଛନ୍ତି, ଉକ୍ତ ୨ଟି ଅଚଳ ଆମ୍ବୁଲାନ୍ସକୁ ମରାମତି କରି ସେବା ଯୋଗାଇ ଦେବା ପାଇଁ ଅନୁଗୋଳ ସିଡିଏମଙ୍କୁ ନିର୍ଦ୍ଦେଶ ଦିଆଯିବ।