Categories: ଖେଳ

ଡୋପ୍‌: ଶଟ୍‌ ପୁଟର ନବୀନ ଚିକାରା ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୮।୩(ପି.ଟି.): ଭାରତୀୟ ତାରକା ଶଟ୍‌ପୁଟର ନାବୀନ ଚିକାରା ୪ ବର୍ଷ ବାସନ୍ଦ ହୋଇଛନ୍ତି। ଓ୍ବଲର୍‌ଡ ଆଥଲେଟିକ୍ସର ଇଣ୍ଟିଗ୍ରେଟେଡ ୟୁନିଟ୍‌ ତାଙ୍କୁ କ୍ରୀଡ଼ାରୁ ବାସନ୍ଦ କରିଛି। ୨୦୧୮ରେ ଅନୁଷ୍ଠିତ ଆଉଟ୍‌ ଅଫ୍‌ କମ୍ପିଟିସନ ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଫଳରେ ତାଙ୍କ ବିରୋଧରେ ଏହି କଡ଼ା ପଦକ୍ଷେପ ନିଆଯାଇଛି। ୨୩ ବର୍ଷୀୟ ଚିକାରା ନିଷିଦ୍ଧ ପଦାର୍ଥ ସେବନ କରି ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଏବେ ତାଙ୍କ ବାସନ୍ଦ ଅବଧୀ ଆସନ୍ତା ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ ବୋଲି ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ତରଫରୁ କୁହାଯାଇଛି। କାନାଡାର ମଣ୍ଟ୍ରିଲରେ ଥିବା ବିଶ୍ୱ ନିଶା ନିବାରଣ ସଂସ୍ଥାର ଅନୁବନ୍ଧିତ ଲାବରାଟୋରୀରେ ଚିକାରାଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ଥିବା ରିପୋର୍ଟରେ ଦର୍ଶାଯାଇଥିଲା।
ଉଲ୍ଲେଖଥାଉ କି, ଚିକାରା ୨୦୧୮ ଫେଡେରେଶନ କପ୍‌ ରୌପ୍ୟ ପଦକ ହାସଲ କରିଥିଲେ। ଏହି ବର୍ଷ ଆନ୍ତଃ ରାଜ୍ୟ ପ୍ରତିଯୋଗିତାରେ ସେ ରନରଅପ୍‌ ମଧ୍ୟ ହୋଇଥିଲେ। ୨୦୧୮ ନଭେମ୍ବରରେ ଚିକାରାଙ୍କ ଉପରେ ସାମୟିକ ବାସନ୍ଦାଦେଶ ଜାରି କରାଯାଇଥିଲା। ଗତ ମାର୍ଚ୍ଚ ୧୨ ତାରିଖରେ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ ଓ ଏଆଇୟୁ ଦ୍ୱାରା ଜାରି କରାଯାଇଥିବା ୪ ବର୍ଷୀୟା ବାସନ୍ଦାଦେଶକୁ ସ୍ବୀକାର ମଧ୍ୟ କରିଥିଲେ।

Share