Categories: ଖେଳ

ଡୋପ୍‌ ଟେଷ୍ଟରେ ବିଫଳ: ସଞ୍ଜିବନୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ଭାରତର ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜିବନୀ ଯାଦବଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଗତବର୍ଷ ନଭେମ୍ବରରେ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଡୋପ୍‌ ଟେଷ୍ଟ ହୋଇଥିଲା। ସଞ୍ଜିବନୀଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଦ୍ରବ୍ୟ ପ୍ରୋବେନଏସିଡ୍‌ର ମାତ୍ରା ଠାବ କରାଯାଇଥିଲା। ପ୍ରଥମେ ସ୍ଥାନୀୟ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରୀରେ ତାଙ୍କ ସାମ୍ପଲର ଯେଉଁ ପରୀକ୍ଷା ହୋଇଥିଲା, ତାହା ନେଗେଟିଭ୍‌ ଆସିଥିଲା। ମାତ୍ର ପରେ ଏହି ସାମ୍ପଲର ଯେତେବେଳେ ଓ୍ବାଲର୍‌ଡ ଆଣ୍ଟି-ଡୋପିଂ ଏଜେନ୍ସି (ଓ୍ବାଡା)ର ମଣ୍ଟ୍ରିଲସ୍ଥିତ ଲାବୋରେଟୋରୀରେ ପରୀକ୍ଷା ହେଲା ସେଥିରେ ପଜିଟିଭ ଆସିଥିଲା। ପୂର୍ବରୁ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରୀ ଫଳାଫଳକୁ ଭିତ୍ତି କରି ନ୍ୟାନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ସଞ୍ଜିବନୀଙ୍କୁ ସସ୍‌ପେଣ୍ଡ କରି ନ ଥିଲା। ଯାହା ଫଳରେ ଏହି ଆଥଲେଟ ଜଣକ ଚଳିତ ବର୍ଷ ପ୍ରାରମ୍ଭରେ ଫେଡେରେନ କପ୍‌ରେ ଅଂଶଗ୍ରହଣ କରି ୧୦,୦୦୦ ମିଟର ରେସ୍‌ ଜିତିଥିଲେ। ପରେ ଏପ୍ରିଲରେ ଦାହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ସେ ଭାଗ ନେଇଥିଲେ। ସେଠାରେ ୩୨:୪୪.୯୬ ଟାଇମିଂରେ ଏକ ବ୍ରୋଞ୍ଜ ଜିତିଥିଲେ। ପରେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଇଣ୍ଟରନ୍ୟାଶନାଲ ଆଥଲେଟିକ୍ସ ଫେଡେରେଶନ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ଗଠନ କରିଥିଲା। ଏଆଇୟୁ ବୁଧବାର ୨୨ ବର୍ଷୀୟା ସଞ୍ଜିବନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ତେଣୁ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି।

Share