Categories: ଖେଳ

ଡୋପିଂ: ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଜ୍ୟାକ୍‌

ମେଲବୋର୍ନ,୨୮ା୭ (ଏଏଫ୍‌ପି)-ରିଲେ ବିଶ୍ୱରେକର୍ଡ ଅଧିକାରିଣୀ ଶାୟନା ଜ୍ୟାକ୍‌ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ଏହି ଆଥଲେଟ୍‌ ଏକ ନିଷିଦ୍ଧ ଦ୍ରବ୍ୟଯୁକ୍ତ ଡ୍ରଗ୍ସ ସେବନ କରିଥିବା ଡୋପ୍‌ ଟେଷ୍ଟ ବେଳେ ଜଣାପଡ଼ିଥିଲା। ଏହି ଡ୍ରଗ୍ସକୁ ମାଂସପେଶୀକୁ ବଳିଷ୍ଠ କରିବା କ୍ଷେତ୍ରରେ ସହାୟକ ହୋଇଥାଏ। ଅଷ୍ଟ୍ରେଲିଆର ଏହି ୨୦ବର୍ଷୀୟା ଆଥ୍‌ଲେଟ ଅଷ୍ଟ୍ରେଲିଆର ୪x୧୦୦ ମିଟର ଫ୍ରିଷ୍ଟାଇଲ ଟିମ୍‌ର ଅନ୍ୟତମ ସଦସ୍ୟା। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ଟିମ୍‌ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ଗତମାସରେ ପ୍ରତିଯୋଗିତା ବାହାରେ ଜ୍ୟାକ୍‌ ଲିଗାଣ୍ଡ୍ରୋଲ ପାଇଁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। କିନ୍ତୁ ଶନିବାର ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇବାପରେ ଲୋକଲୋଚନକୁ ଆସିଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବାର କିଛିଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଜ୍ୟାକ୍‌ ଆକସ୍ମିକ ଭାବେ ସ୍ବଦେଶ ଫେରିଥିଲେ। ଏହା ଅନେକଙ୍କୁ ଅଶ୍ଚର୍ଯ୍ୟଚକିତ କରିଥିଲା। ଜ୍ୟାକ କହିଛନ୍ତି ମୁଁ ନିରୀହ, ମୋ ଜାଣତରେ କୌଣସି ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିନାହିଁ। ସମ୍ଭବତଃ ସଂକ୍ରମଣ ଜନିତ କାରଣରୁ ଏହା ହୋଇଥାଇପାରେ। ସୁଇମିଂ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଲେ ରସେଲ ଡୋପ୍‌ ଟେଷ୍ଟ ଫଳାଫଳ ଫଳ ନେଇ ଦୁଃଖ ପ୍ରକାଶ କରିବା ସହ ଲଜ୍ଜାଜନକ ବୋଲି କହିଛନ୍ତି। ରସେଲ କହିଛନ୍ତି, ଡୋପ୍‌ ଟେଷ୍ଟ ବିଫଳ କଥା ମୁଁ ଜୁନ୍‌ ୨୬ରେ ଜାଣିବାକୁ ପାଇଥିଲି। ମାତ୍ର ଗଭର୍ନିଂବଡି ଏହାକୁ ଗୋପନ ରଖିବାକୁ ଚାହିଁଥିଲା। କାରଣ ଅଷ୍ଟ୍ରେଲିଆନ ସ୍ପୋଟର୍‌ସ ଆଣ୍ଟି ଡୋପିଂ ଅଥରିଟି (ଏଏସଏଡିଏ) ଏବଂ ସମ୍ପୃକ୍ତ ଆଥଲଟଙ୍କଠାରୁ ଟେଷ୍ଟ ଫଳାଫଳ ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳି ନ ଥିଲା।

Share