Categories: ଖେଳ

ଡେଭିସ୍‌ କପ୍‌: ପାକିସ୍ତାନକୁ ଦଳ ପଠାଇପାରେ ଆଇଟା

ନୂଆଦିଲ୍ଲୀ, ୧୫ା୧୦ (ପି.ଟି.)-ଜାତୀୟ ଟେନିସ ମହାସଂଘ ଏହାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ପାକିସ୍ତାନ ଭିଜା ଯୋଗାଡ଼ କରିବା ପ୍ରକ୍ରିୟା ଆରମ୍ଭ କରବା ଲାଗି ମଙ୍ଗଳବାର ନିଷ୍ପତ୍ତି ନେଇଛି। ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଯଦି ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଆୟୋଜନ କରିବା ଲାଗି ରାଜି ନ ହୁଏ ତେବେ ପଡ଼ୋଶୀ ଦେଶରେ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ପଡ଼ିବ। ଦ୍ୱିତୀୟ ଦଳ ପଠାଇପାରେ। ଖବର ଅନୁସାରେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପାକିସ୍ତାନ ଗସ୍ତ ଲାଗି କୌଣସି ଖେଳାଳିଙ୍କୁ ବାଧ୍ୟ କରିବ ନାହିଁ। ଆଇଟିଏଫ୍‌ ଦ୍ୱାରା ସସ୍‌ପେଣ୍ଡ, ଜରିମାନା ଓ ନିମ୍ନ ପାହ୍ୟାକୁ ଖସିବା ସମ୍ଭାବନାକୁ ଏଡାଇବା ଲାଗି ଆଇଟା ଆବଶ୍ୟକ ସ୍ଥଳେ ଦ୍ୱିତୀୟ ଦଳ ପଠାଇପାରେ। ଯଦି ଆଇଟିଏଫ୍‌ ମୁକାବିଲାକୁ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ସ୍ଥିର କରେ ତେବେ ପ୍ରଜନେଶ ଗୁଣେସ୍ବରନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଟପ୍‌ ଖେଳାଳି ଉପଲବ୍‌ଧ ହେବେ ବୋଲି ଆଶା। ନଭେମ୍ବର ୨୯ରେ ମୁକବିଲାର ପ୍ରଥମ ଦିବସରେ ପ୍ରଜନେଶ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ମ୍ୟାଚ ପ୍ରକୃତରେ ଇସ୍‌ଲାମାବାଦ୍‌ଠାରେ ସେପ୍ଟେମ୍ବର ୧୪ ଓ ୧୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଆଇଟିଏଫ୍‌ର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ଏହାକୁ ନଭେମ୍ବର ୨୯-୩୦କୁ ଘୁଞ୍ଚାଇ ଦିଆଯାଇଥିଲା। ସୁରକ୍ଷାଜନିତ କାରଣ ଦର୍ଶାଇ ମ୍ୟାଚକୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ଲାଗି ଆଇଟା ବାରମ୍ବାର ବିଶ୍ୱ ଗଭର୍ନିଂବଡିକୁ ବାରମ୍ବାର ଚିଠି ଲେଖିଛି। ମଙ୍ଗଳବାର ଦିଲ୍ଲୀ ଲନ୍‌ ଟେନିସ୍‌ ଆସୋସିଏଶନ (ଡିଏଲ୍‌ଟିଏ) ପରିସରରେ ଆଇଟା କର୍ମକର୍ତ୍ତାଙ୍କ ଏକ ବୈଠକ ବସିଥିଲା। ଏଥିରେ ମହେଶ ଭୂପତି ମଧ୍ୟ ଉପସ୍ଥିତ ଥିଲେ। ଭିଜା ପ୍ରକ୍ରିୟା ଆରମ୍ଭ କରିବା ବ୍ୟତୀତ ମ୍ୟାଚକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ନେଇ ଆଇଟିଏଫ୍‌କୁ ବୁଝାଇବା ଲାଗି ଉଦ୍ୟମ ଜାରି ରଖିବା ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଆଇଟା ସାଧାରଣ ସମ୍ପାଦକ ହିରଣମୟ ଚାଟ୍ଟାର୍ଜୀ କହିଛନ୍ତି, ଆମେ ଆଇଟିଏଫ୍‌ର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛୁ। କିନ୍ତୁ ବର୍ତ୍ତମାନ ଆମକୁ ଭିଜା ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ।

Share