Categories: ଖେଳ

ଡେବ୍ୟୁ ମ୍ୟାଚରେ ମାରିଥିଲେ ଶତକ, ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଖେଳାଳି

କ୍ରିକେଟ ପଡିଆରେ ଦିନେ ମ୍ୟାକଗ୍ରାଥ, ବ୍ରେଟ ଲିଙ୍କ ଭଳି ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଲୁ ଭିନସେଣ୍ଟ। ନ୍ୟୁଜିଲାଣ୍ଡ ପାଇଁ ସେ ୨୩ଟି ଟେଷ୍ଟ, ୯ଟି-୨୦ ଏବଂ ୧୦୨ଟି ଏକଦିବସୀୟ ଖେଳିଥିଲେ। ଲୁ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୬ଟି ଶତକ ହାସଲ କରିଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ।

ଲୁ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡର ୱାର୍କୱର୍ଥରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରସିଦ୍ଧ କ୍ରୀଡ଼ା ସାମ୍ବାଦିକ ମାଇକ ଭିନସେଣ୍ଟଙ୍କ ପୁଅ ଥିଲେ। ପିତାଙ୍କଠାରୁ କ୍ରିକେଟ ବିଷୟରେ ପ୍ରେରିତ ହୋଇ ସେ କ୍ରିକେଟ ଆଡକୁ ଢଳିଥିଲେ। ଯେତେବେଳେ ଭିନ୍ସେଣ୍ଟଙ୍କୁ ୧୫ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ହୋଇଥିଲା। ପରେ ସେ ଆଡିଲେଡରେ ରହିଲେ। ସେଠାରେ ସେ କ୍ରିକେଟ ଖେଳିଥିଲେ କିନ୍ତୁ ତାଙ୍କୁ ସଠିକ ସୁଯୋଗ ମିଳି ନ ଥିଲା ଏବଂ ୧୮ ବର୍ଷ ବୟସରେ ସେ ନ୍ୟୁଜିଲ୍ୟାଣ୍ଡକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡକୁ ଫେରିବା ମାତ୍ରେ ୧୯୯୮ରେ ଦେଶ ପାଇଁ ଅଣ୍ଡର-୧୯ ବିଶ୍ୱକପ ଖେଳିବାର ସୁଯୋଗ ପାଇଲେ। କେବଳ ଏତିକି ନୁହେଁ ସେ ଅକଲ୍ୟାଣ୍ଡ ଦଳରେ ମଧ୍ୟ ପ୍ରବେଶ କରିଥିଲେ। ଯେଉଁଠାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ୨୦୦୧ରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜର ସ୍ଥାନ ପକ୍କା କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ ଭିନସେଣ୍ଟ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଥିଲେ।
ଲୁ ଭିନସେଣ୍ଟଙ୍କ ଜୀବନ ଭଲରେ ଚାଲିଥିଲା। କିନ୍ତୁ ୨୦୦୮ରେ ସେ ଏକ ବଡ ଭୁଲ କରିଥିଲେ। କାଉଣ୍ଟି କ୍ରିକେଟରେ ସେ ଫିକ୍ସିଂ କରିବା ଆରମ୍ଭ କରିଥିଲେ। ପରେ ଏହା ତାଙ୍କର ଅଭ୍ୟାସ ହୋଇଗଲା। ୨୦୧୧, ୨୦୧୨ କାଉଣ୍ଟି ସିଜିନରେ ସେ ଫିକ୍ସିଂ କରିଥିଲେ। ୨୦୧୪ରେ ସେ ଫିକ୍ସିଂ କରିଥିବା ସ୍ବୀକାର କରିଥିଲେ। ଏହା ପରେ ତାଙ୍କୁ ଆଜୀବନ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଫଳରେ ଇଂଲଣ୍ଡରୁ ନ୍ୟୁଜିଲ୍ୟାଣ୍ଡକୁ ପଳାଇଆସିଥିଲେ।
ଲୁ ଭିନ୍ସେଣ୍ଟ ଉପରେ ହୋଇଥିବା ନିଷେଧାଦେଶ ଅନୁଯାୟୀ ସେ କ୍ରିକେଟ ଖେଳି ପାରିବେ ନାହିଁ କିମ୍ବା କ୍ରିକେଟରୁ କୌଣସି ପ୍ରକାରେ ଟଙ୍କା ରୋଜଗାର କରିପାରିବେ ନାହିଁ। ଭିନସେଣ୍ଟଙ୍କୁ କୋଚିଂ ଏବଂ ଷ୍ଟାଡିୟମରେ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି। ତେଣୁ ପରିବାର ଚଳାଇବା ପାଇଁ ସେ ଏକ ବିଲଡିଂ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ସେ ବିଲ୍ଡିଂରେ ମରାମତି କାମ କରନ୍ତି।

Share