ଡେଜର୍ଟ ଗାର୍ଡେନ

ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍‌ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ ଉତ୍ପାଦନକୁ ଆହୁରି ସହଜ କରିଦେବ। ‘ଡେଜର୍ଟ ଗାର୍ଡେନ’ ପରିକଳ୍ପନା ପଛରେ ରହିଛି ଶରଣାର୍ଥୀ ଶିବିରରେ ନଷ୍ଟ ହୋଇଯାଇଥିବା ଗଦି। ମଧ୍ୟପ୍ରାଚ୍ୟର ଶରଣାର୍ଥୀ କ୍ୟାମ୍ପରେ ଏହା ବେଶ୍‌ ସଫଳ ହୋଇଛି। ଖୁବ୍‌ଶୀଘ୍ର ଏହାକୁ ମରୁଭୂମିର ଟାଙ୍ଗରା ଭୂଇଁରେ ପ୍ରୟୋଗ କରାଯିବାକୁ ଯୋଜନା କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି।
ଏପରି ଅଭିନବ ବଗିଚାର ପରିକଳ୍ପନା କରିଛନ୍ତି ବ୍ରିଟିଶ ବୈଜ୍ଞାନିକ। ସେମାନଙ୍କ ଉଦ୍ୟମରେ ଖରାପ ହୋଇପଡ଼ିଥିବା ବର୍ଜ୍ୟ ଗଦିରୁ ସଫଳତାର ସହ ଟମାଟୋ, ଧନିଆ, ଲଙ୍କା, ବାଇଗଣ ସହିତ ଅନ୍ୟ ପରିବା ଚାଷ କରାଯାଇପାରିଛି। ୟୁନିର୍ଭସିଟି ଅଫ୍‌ ଶେଫିଲ୍ଡର ବୈଜ୍ଞାନିକ ପ୍ରଫେସର ଟୋନି ରୟାନ କହିଛନ୍ତି, ଶରଣାର୍ଥୀଙ୍କ କ୍ୟାମ୍ପରେ ହଜାର ହଜାର ସଂଖ୍ୟାରେ ଗଦି ବ୍ୟବହୃତ ହୋଇଥାଏ। ନଷ୍ଟ ହୋଇଯିବା ପରେ ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ। ପାହାଡ଼ ଭଳି ଗଦା ହୋଇ ରହିଥିବା ଗଦିଗୁଡ଼ିକୁ ପରିଚାଳନା କରିବା ଜରୁରୀ ହୋଇପଡ଼ିଥିଲା। ପରିତ୍ୟକ୍ତ ଗଦିରୁ ଫସଲ ଉତ୍ପାଦନ ହୋଇପାରିବ ବୋଲି ଜଣାପଡ଼ିବା ପରେ ‘ଡେଜର୍ଟ ଗାର୍ଡେନ’ର ବାଟ ଖୋଲିଥିଲା।
‘ଡେଜର୍ଟ ଗାର୍ଡେନ’ ପାଇଁ ଗଦିଗୁଡ଼ିକରେ କିଛି ପୋଷକ ତତ୍ତ୍ୱ ମିଶାଇ ସିନ୍ଥେଟିକ୍‌ ମାଟି ପ୍ରସ୍ତୁତ କରାଯାଇଛି। ଏହି ମାଟିକୁ ବ୍ୟବହାର କରି ଔଷଧୀୟ ଚାରା, ପରିବା ଉତ୍ପାଦନ ଆରମ୍ଭ ହୋଇଛି। ହେଲେ ଏହାର ପରିଣାମ ଆଶାତୀତ। ସବୁଠାରୁ ବଡ଼ କଥା ହେଉଛି, ଏହି ମାଟିରେ ୭୦ରୁ ୮୦% କମ୍‌ ପାଣି ବ୍ୟବହୃତ ହୋଇଥାଏ। ତେଣୁ ଏହାକୁ ମରୁଭୂମିରେ ବ୍ୟବହାର କରି ଫସଲ ଉତ୍ପାଦନ କରାଯାଇପାରିବ। ମରୁଭୂମିର ଜଳକଷ୍ଟକୁ ଏହି ବଗିଚା ଅନେକାଂଶରେ ସୁଧାରିପାରିବ ଏବଂ ଏହାଦ୍ୱାରା ଅଧିକ ପାଣି ସଞ୍ଚୟ ହୋଇପାରିବ। ଡାଇଡ୍ରୋପୋନିକ୍ସ ଟେକ୍‌ନିକ୍‌କୁ ପ୍ରୟୋଗ କରି ଏହି ବଗିଚା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମାଟି ବଦଳରେ ପାଣିରେ ଆବଶ୍ୟକ ପୋଷକ ତତ୍ତ୍ୱ ଘୋଳି ଦିଆଯାଇଥାଏ। ଗଛରୁ ଚେର ବାହାରିବା ପରେ ସେଗୁଡ଼ିକୁ ସିନ୍ଥେଟିକ୍‌ ମାଟି ଉପରେ ରୋପଣ କରାଯାଏ। ଏହି ଟେକ୍‌ନିକ୍‌ରେ ଗୋଟିଏ ଫାଇଦା ହେଉଛି, ଏଥିରେ ଗଛ ପାଇଁ କୀଟନାଶକ ପ୍ରୟୋଗର ଆବଶ୍ୟକତା ନ ଥାଏ। ୧୦୦୦ ସିରିଆ ଶରଣାର୍ଥୀ ଏବଂ ସେଠାକାର ଚାଷୀଙ୍କ ଉଦ୍ୟମରେ ଏହା ସଫଳ ହୋଇପାରିଛି। ଆଗାମୀ ଦିନରେ ଏହାକୁ ଅନ୍ୟ ଶରଣାର୍ଥୀ ଶିବିରରେ ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ରେୟାନ ସୂଚନା ଦେଇଛନ୍ତି।

Share