Categories: ଯାଜପୁର

ଡେଙ୍ଗୁ ସଚେତନତା ଅଭିଯାନ ଶୁଭାରମ୍ଭ

କଳିଙ୍ଗନଗର,୧୦।୮(ଡି.ଏନ୍‌.ଏ.): କଳୀଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନା ପକ୍ଷରୁ ଶୁକବ୍ରାର ସ୍ଥାନୀୟ ଲୋକମାନଙ୍କୁ ଡେଙ୍ଗୁ ରୋଗ ନିବାରଣ ପାଇଁ ପ୍ରତିକାରାତ୍ମକ ଓ ଆରୋଗ୍ୟକର ପଦକ୍ଷେପ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ଏକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କଳିଙ୍ଗନଗର ପାର୍ଶ୍ୱବର୍ତ୍ତୀ ୫୫ ଗ୍ରାମରେ ବୁଲିବାକୁ ଥିବା ଏକ ଡେଙ୍ଗୁ ରଥ ଓ ମୋବାଇଲ ଭ୍ୟାନ୍‌ର ଶୁଭାରମ୍ଭ କରାଯାଇଛି। ଯାଜପୁର ଜିଲାର ଲୋକମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ପକ୍ଷରୁ କଳିଙ୍ଗନଗରଠାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଗ୍ରାମବାସୀଙ୍କୁ ପ୍ରଦାନ କରାଯାବାକୁଥିବା ସ୍ବତନ୍ତ୍ର ପ୍ରଚାର ପତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ଓଡ଼ିଶା ସିଏସ୍‌ଆର ବିଭାଗ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଜିଲା ଜାତୀୟ ଭୂତାଣୁ ଜନ୍ମିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଭିବିଡିସିପି) ପରାମର୍ଶଦାତା ସୁନୀଲ ମୋହାନ୍ତେ, ସରପଞ୍ଚ ଚକ୍ରଧର ତମସଏ ଓ ସରପଞ୍ଚ ସ୍ବର୍ଣ୍ଣଲତା ବାନରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ନିକଟରେ ପ୍ରଭାବୀ ଢଙ୍ଗରେ ପହଞ୍ଚାଇବା ସହିତ ସେମାନଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ବେହେରା କହିଥିଲେ।
୨ ମାସ ଧରି ହେବାକୁଥିବା ଉକ୍ତ ସଚେତନତା ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳକୁ ଡେଙ୍ଗୁ ରୋଗ ଶୂନ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ସଚେତନତା କାର୍ଯ୍ୟକ୍ରମ ଜିଲାର ବିଭିନ୍ନ ସ୍ଥାନରେ ଯୁବତୀଯୁବକଙ୍କ ଦ୍ୱାରା ଆୟୋଜନ କରାଯିବ। ମହିଳା ଓ ଯୁବ ନେତାଙ୍କ ବ୍ୟତୀତ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଟାଟା ପକ୍ଷରୁ ସୂଚନା ଦିଆଯାଇଛି।