Categories: ଖେଳ

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର ସ୍ପଷ୍ଟ ହୋଇଛି। ଉଭୟଙ୍କ ମଧ୍ୟରେ ଡିସେମ୍ବର ଶେଷ ସପ୍ତାହରେ ମୁକାବିଲା ହେବ ବୋଲି ଅଫିସିଆଲ ସୂଚନା ମିଳିଛି। ଟ୍ରାଏଲର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ୫୧ କେଜି ଓଜନ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନୋଟିସ କରାଯିବ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂ କହିଛନ୍ତି। ଲଭଲିନା ବରଗୋହିନଙ୍କୁ ମଧ୍ୟ ୬୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଗୁରୁବାର ବିଏଫ୍‌ଆଇ ଅଫିସିଆଲ, ସାଇ କର୍ମକର୍ତ୍ତା, ଡିରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ ଓ ଦୁଇ ବିଦେଶୀ କୋଚ୍‌ ରାଫାଲେ ବରଗାମାସ୍କୋ ଓ ସାଣ୍ଟିଆଗୋ ନେଇଭାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ସାଇ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ ଭାରତୀୟ ପ୍ରତିନିଧିତ୍ୱ ଦଳ ଚୟନ କରିବା ପାଇଁ ଥିବା ନିୟମ ଉପରେ ଚର୍ଚ୍ଚା ହୋଇଥିଲା। ବୋର୍ଡର ସଭାପତିଙ୍କ ସମେତ ସଭିଙ୍କ ସହ ଆଲୋଚନା ପରେ ଚୟନ ଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଜଣାପଡ଼ିଥିଲା। ଏଣୁ ଚାଇନାର ଉହାନଠାରେ ଫେବୃୟାରୀ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ଟ୍ରାଏଲ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଆମକୁ ନିୟମରେ ରହିବାକୁ ପଡ଼ିବ। ଏବେ କିଛି ଦ୍ୱନ୍ଦ୍ୱ ନାହିଁ। ଏହି ଟ୍ରାଏଲ ଇଣ୍ଡିଆନ ବକ୍ସିଂ ଲିଗ୍‌ (ଆଇବିଏଲ୍‌) ପରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଟ୍ରାଏଲ ସମ୍ମୁଖୀନ ହେବାରେ ମେରିକମ୍‌ଙ୍କ କିଛି ଅସୁବିଧା ନ ଥିଲା। ହେଲେ ବିଏଫ୍‌ଆଇ ସଭାପତିଙ୍କ ମନ୍ତବ୍ୟ ପରେ ସବୁ ବିବାଦ ଆରମ୍ଭ ହୋଇଥିଲା।

Share