Categories: ଖେଳ

ଡିସେମ୍ବରରେ ଆୟୋଜନ ହେବ ଇଣ୍ଡିଆ ଓପନ୍‌: ୨୦୨୦ର ଅବଶିଷ୍ଟ କ୍ୟାଲେଣ୍ଡର ଘୋଷଣା କଲା ବିଡ଼ବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୨।୫(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ହେଉଥିବା ଇଣ୍ଡିଆ ଓପନ୍‌ ବ୍ୟାଟ୍ସମ୍ୟାନ ଟୁର୍ନାମେଣ୍ଟ ନୂଆ ତାରିଖ ଘୋଷଣା କରାଯାଇଛି। କୋଭିଡ-୧୯ ମହମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହା ଡିସେମ୍ବର ଖେଳାଯିବ ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଘୋଷଣା କରିଛି। ଏଥି ସହିତ ୨୦୨୦ରେ ବାକିଥିବା ଟୁର୍ନାମେଣ୍ଟ ଗୁଡିକ ପାଇଁ କ୍ୟାଲେଣ୍ଡର ଜାରି କରିଛି ବିଡବ୍ଲ୍ୟୁଏଫ୍‌।
ଏହି ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟ ପ୍ରଥମେ ନୂଆଦିଲ୍ଲୀରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା ଓ ଏବେ ଏହା ଡିସେମ୍ବର ୮ରୁ ୧୩ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ହାଇଦ୍ରାବଦ୍‌ ଓପନ୍‌ ଅଗଷ୍ଟ ୧୧ରୁ ୧୬ ଓ ସୟଦ ମୋଦୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ନଭେମ୍ବର ୧୭ରୁ ୨୨ ତାରିଖ ମଧ୍ୟରେ ଆୟୋଜନ ହେବ। ମୋଟ ଉପରେ ୮ଟି ଟୁର୍ନାମେଣ୍ଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏଗୁଡିକ ମଧ୍ୟରେ ସାମିଲ ରହିଛି ନ୍ୟୁଜିଲାଣ୍ଡ ଓପନ୍‌ ସୁପର ୩୦୦, ଇଣ୍ଡୋନୋସିଆ ଓପନ୍‌ ସୁପର ୭୫୦, ଥାଇଲାଣ୍ଡ ଓପନ୍‌ ସୁପର ୫୦୦ ଓ ଚାଇନାରେ ଆୟୋଜନ ହେବାକୁ ଥିବା ଓ୍ବାଲର୍‌ଡ ଟୁର ଫାଇନାଲ୍ସ।
କୋଭିଡ-୧୯ ମହାମାରୀ କାରଣରୁ ଏହି ଗୁଡିକୁ ଆୟୋଜନ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। ତେବେ ଏହି ଟୁର୍ନାମେଣ୍ଟଗୁଡକୁ ପରିବର୍ତ୍ତିତ କାର୍ଯ୍ୟସୂଚୀରେ ଆୟୋଜନ କରିବାକୁ ଆମେ ବଦ୍ଧ ପରିକର ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଜେନେରାଲ ଥୋମାସ ଲୁଣ୍ଡ କହିଛନ୍ତି। ଅବଶ୍ୟ ଏବେ କିଛି କହିବା ଆଦୌ ସମ୍ଭବ ନୁହଁ। କେବେ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବ, କେବେ ଯାତ୍ରାଜନିତ କଟକଣା ଉଠିବ ସେ ନେଇ କିଛି କହିବା କଷ୍ଟକର। ତେବେ ପରିବେଶ ସମ୍ପୂର୍ଣ୍ଣ ନିରାପଦ ନ ହେବା ପର୍ଯ୍ୟନ୍ତ ଆମେ କୌଣସି ପ୍ରତିଯୋଗିତା ଆରମ୍ଭ କରିବୁନି ବୋଲି ଲୁଣ୍ଡ ସ୍ପଷ୍ଟ କରିଛନ୍ତି।

Share