ଡିସେମ୍ବରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ: କୂଳ ଲଂଘୁଛି ସମୁଦ୍ର, ଅଣ୍ଡାଦାନ ପ୍ରଭାବିତ ଆଶଙ୍କା

ଗଞ୍ଜାମ,୧୧ା୧୧(ଡି.ଏନ.ଏ.)-ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଏବଂ ଠିକ ମାସେ ପରେ ଅର୍ଥାତ ଜାନୁୟାରୀରେ ଅନୁକୂଳ ପାଗ ଓ ଦକ୍ଷିଣା ପବନ ବହିଲେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ସଂସ୍ଥା ଏବଂ ବନ ବିଭାଗ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟ ସରିଛି। ବେଳାଭୂମିଠାରେ ପଡ଼ିଥିବା ଅଳିଆ ଆବର୍ଜନା ଏବଂ ପଲିଥିନ ଆଦି ହଟାଯାଇଛି। ଗଞ୍ଜାମ ବ୍ଲକ ଗୋଖରକୁଦା ଠାରୁ ପ୍ରୟାଗୀ ଓ ଦକ୍ଷିଣରେ ଥିବା ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଦିନକୁ ଦିନ ସମୂଦ୍ର କୂଳ ଲଙ୍ଘୁଛି। ଏଥିଯୋଗୁ ଋଷିକୁଲ୍ୟା ବେଳାଭୂମି ଅବକ୍ଷୟ ହେବାରେ ଲାଗିଛି। ଋଷିକୁଲ୍ୟା ବେଳାଭୂମି ଠାରୁ ବଟେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଲୀନ ହେବାକୁ ବସିଲାଣି। ଏଥିଯୋଗୁ ଗତବର୍ଷ କମ୍‌ ସଂଖ୍ୟକ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିଲେ। ବେଳାଭୂମି ଅବକ୍ଷୟ ଏମିତି ଭାବେ ହେଉଛି ଯେ, କଇଁଛମାନେ ଉପରକୁ ଉଠି ପାରୁ ନ ଥିବାରୁ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି ପରିବେଶବିତ୍‌ମାନେ ଅନୁମାନ କରିଛନ୍ତି। ୨୦୦୭-୦୮ରୁ ସମୁଦ୍ର ଉଚ୍ଚ ଜୁଆରରେ କୂଳ ଲଙ୍ଘୁଥିବା ଏବଂ ବେଳାଭୂମି ଅବକ୍ଷୟ ଆରମ୍ଭ ହୋଇଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମଲିକ କୂଳ ଲଙ୍ଘୁଥିବା କଥା ସ୍ବୀକାର କରିବା ସହ ବିକଳ୍ପ ବ୍ୟବସ୍ଥା କିଛି ନ ଥିବା କହିଛନ୍ତି। କିନ୍ତୁ କଇଁଛଙ୍କ ସୁରକ୍ଷା ଲାଗି ପ୍ରୟାଗୀ ଠାରେ ପୁରୁଣା ବନ୍ଧ ପର୍ଯ୍ୟନ୍ତ ୬ଟି କ୍ୟାମ୍ପ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ୨ଜଣ ବନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏଥିସହିତ କଇଁଛ ଓ ଅଣ୍ଡା ପରୀକ୍ଷା ନିମନ୍ତେ ତିନୋଟି ଆର୍ଟିଫିସିଆଲ ହାଚେରୀ ନିର୍ମାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।